ପର୍ଯ୍ୟଟନ ଶିଳ୍ପ ସହ ମାନବ ସମ୍ବଳ ଏକତ୍ର ପାଇଁ ପ୍ରଶିକ୍ଷଣ ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ

 ପୁରୀ : ଭାରତୀୟ ଟୁର ଅପରେଟର ସଂଘ (ଆଇଏଟିଓ) ପକ୍ଷରୁ ହୋଟେଲ ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସର୍ଟରେ ଅନୁଷ୍ଠିତ ହୋଇଛି ୪୦ତମ ବାର୍ଷିକ ସମ୍ମିଳନୀ । ଏହି ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ କହିଥିଲେ ଯେ, ଅତିଥି ଦେବୋ ଭବ ନ୍ୟାୟରେ ଆମେ ଅତିଥି ସକôାର କ୍ଷେତ୍ରରେ ଅଗ୍ରଣୀ ରହିଛୁ କିନ୍ତୁ ପର୍ଯ୍ୟଟନ ଶିଳ୍ପ ସହ ମାନବ ସମ୍ବଳକୁ ଯୋଡ଼ିବାରେ ଦୂରରେ ରହିଛୁ । ଏଥିପାଇଁ ଉନ୍ନତ ପ୍ରଶିକ୍ଷଣର ଆବଶ୍ୟକତା ରହିଛି । ବିଦେଶୀ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଭାରତ ବର୍ଷକୁ ଆଗମନ ପାଇଁ  ଆଇଏଟିଓ ସେତୁ ଭଳି କାର୍ଯ୍ୟ କରୁଛି । ଦେଶର ଅର୍ଥନୀତିରେ ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଶିଳ୍ପର ଭାଗିଦାରୀ ୬ ପ୍ରତିଶତ ମଧ୍ୟରେ ସୀମିତ ରହିଛି । ପର୍ଯ୍ୟଟନ ଶିଳ୍ପ ଯେଉଁଭଳି ଭାବରେ ବିକଶିତ ହେଉଛି ଅଳ୍ପଦିନ ମଧ୍ୟରେ ୧୦ପ୍ରତିଶତ ଭାଗିଦାରୀରେ ପହଞ୍ଚôବା । ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି କରିବାକୁ ହେଲେ ଆତିଥେୟତା ଆମର ମୂଳମନ୍ତ୍ର ହେବା ଆବଶ୍ୟକ । ଭାରତ ବର୍ଷକୁ ପର୍ଯ୍ୟଟକମାନେ ଆଗମନ କରିବା ପାଇଁ କେନ୍ଦ୍ର ସରକାର ବହୁ ସରଳୀକରଣ ବ୍ୟବସ୍ଥା ଆପଣାଇଛନ୍ତି । ଓଡ଼ିଶାରେ ଆର୍ନ୍ତଜାତୀୟ ବିମାନ ଯାତାୟତ ୩୦ରୁ ୬୨ ପ୍ରତିଶତକୁ ବୃଦ୍ଧି ପାଇଛି । ଇ-ଭିସା ପାଇବା ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି । ଆଗକୁ ବିଭିନ୍ନ ଭାଷାରେ ଏହି ଇ-ଭିସା ଆବେଦନର ବ୍ୟବସ୍ଥା କରାଯିବ । ୨୮ଟି ରାଜ୍ୟରେ ପର୍ଯ୍ୟଟନକୁ ଶିଳ୍ପ ରୂପେ ଘୋଷଣା କରାଯାଇଛି । ପୁଞ୍ଜି ନିବେଶ କେବଳ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କରେ ନ କରି ପର୍ଯ୍ୟଟନ ସହ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ନିବେଶ କରାଯିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଶେଖାୱତ ପ୍ରକାଶ କରିବା ସହ ସରକାର ଓ ଘରୋଇ ସଂସ୍ଥାର ଭାଗିଦାରୀରେ  ପର୍ଯ୍ୟଟନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଓଡ଼ିଶାର ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂସାଧନ ପର୍ଯ୍ୟଟନ କ୍ଷେତ୍ରରେ ଲୋକମାନଙ୍କ ଦ୍ୱାରା ଆଦୃତ ହୋଇଛି ।ଭିତ୍ତିଭୂମୀ କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହେଉଛି । ସରକାର ଘରୋଇ ସଂସ୍ଥା ସହ ଭାଗିଦାରୀତାରେ ପର୍ଯ୍ୟଟନ ଶିଳ୍ପକୁ ନୂତନ ଦିଶା ଦେଖାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଆଇଏଟିଓର ପୂର୍ବାଞ୍ଚଳ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି କହିଥିଲେ ଯେ ଓଡ଼ିଶାରେ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ ପୂର୍ଣ୍ଣ, କୋଣାର୍କ ସୂର୍ଯ୍ୟମନ୍ଦିର, ଖଣ୍ଡଗିରି, ଉଦୟଗିରି, ଚିଲିକା ହ୍ରଦ, ଶିମିଳିପାଳ, ପଟ୍ଟଚିତ୍ର, ଓଡ଼ିଶୀ ନୃତ୍ୟ ଭଳି ସମୃଦ୍ଧ ଐତିହ୍ୟ ଓ କଳା ଭରପୁର ହୋଇ ରହିଛି । ଆମେ କୃଜ ଟୁରିଜିମ୍, ହେରିଟେଜ ୱାକ, ଇକୋ ଟୁରିଜିମ୍ କ୍ଷେତ୍ରରେ ଆହୁରି ଆଗକୁ ଯିବାକୁ ପଡ଼ିବ । ଏହି ଅବସରରେ ପ୍ରଣବ ସରକାରଙ୍କୁ ହଲ୍ ଅଫ ଫେମ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ମନ୍ତ୍ରଣାଳୟର ମହାନିଦେ୍ର୍ଦଶକ ସୁମନ ବିଲ୍ଲା, ପର୍ଯ୍ୟଟନ ପ୍ରମୁଖ ସଚ୍ଚିବ ବଳବନ୍ତ ସିଂ, ଆଇଏଟିଓର ଅଧ୍ୟକ୍ଷ ରବି ଗୋସାଇଁ, ପୂର୍ବତନ ସଭାପତି ରାଜୀବ ମେହେରା, ଓଡ଼ିଶାର ଚାପ୍ପଟର ଅଧ୍ୟକ୍ଷ ଗଗନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।