୨୧ ଦିନ ହେଲା ପାକ୍ କବ୍ଜାରେ ବିଏସ୍ଏଫ୍ ଯବାନ ପିକେ

ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ପରେ, ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରାମ ହୋଇଛି । ଅସ୍ତ୍ରବିରତି ପରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ଅନ୍ୟପକ୍ଷରେ ପାକିସ୍ତାନ ଅଟକ ରଖିଥିବା ସୀମା ସୁରକ୍ଷା ବଳ ଯବାନ ପିକେ ସାହୁଙ୍କୁ ଏପର୍ଯ୍ୟନ୍ତ ଛାଡ଼ିନାହିଁ । ବିଏସଏଫ କନଷ୍ଟେବଳ ପିକେ ସାହୁ ୨୧ ଦିନ ଧରି ପାକିସ୍ତାନରେ ଅଟକ ଅଛନ୍ତି । ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ପରେ, ୨୩ ଏପ୍ରିଲରେ ବିଏସଏଫ ଯବାନ ପିକେ ସାହୁଙ୍କୁ ପାକିସ୍ତାନ ରେଞ୍ଜର୍ସ ଫିରୋଜପୁର ସୀମାରେ ଅଟକ ରଖିଛନ୍ତି । ଗତ ୨୧ ଦିନ ଭିତରେ ପିକେ ସାହୁଙ୍କୁ ଛଡ଼ିବା ପାଇଁ ବିଏସ୍ଏଫ୍ ଅଧିକାରୀମାନେ ଅନେକ ଥର ଫ୍ଲାଗ୍ ମିଟିଂ କରିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ପାକ୍ ତରଫରୁ କୌଣସି ଉତ୍ତର ଆସିନି । ବିଏସ୍ଏଫ୍ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସାହୁ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଛି । ଏବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ଆଶା କରାଯାଉଛି ଯେ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ପୁଣି ଥରେ ବୈଠକ ପରେ ଯବାନଙ୍କୁ ଅଣାଯାଇପାରିବ ।