ସରଳ ହେବା କଠିନ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ସରଳ ହେବା କେତେ କଠିନ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପ୍ରତ୍ୟେକ ବ୍ୟକ୍ତିର ଏକାଧିକ ବ୍ୟକ୍ତିତ୍ୱ ରହିଥାଏ । ଜଣେ ବ୍ୟକ୍ତିର ଛାତ୍ର ଭାବରେ ବ୍ୟକ୍ତିତ୍ୱ ଏବଂ ଘରକୁ ଆସିଲେ ପିତାମାତାଙ୍କର ପୁତ୍ର ଭାବରେ ବ୍ୟକ୍ତିତ୍ୱ ସମାନ ହୋଇପାରିବ ନାହିଁ । ବ୍ୟକ୍ତିତ୍ୱକୁ ନେଇ ଚରିତ୍ର ମଧ୍ୟ ବଦଳେ । ମଣିଷ କେତେବେଳେ ଖୁବ୍ ସରଳ ଜୀବନଯାପନ କରିବାକୁ ଚାହେଁ ତ ଆଉ କେତେବେଳେ କୁଟିଳ ହେବାକୁ ବାଧ୍ୟ ହୁଏ ଅଥବା ପରିସ୍ଥିତି ବାଧ୍ୟ କରାଏ ।
ସରଳ ଜୀବନଯାପନ କରୁଥିବା ମଣିଷକୁ ଠକିବା ପାଇଁ ଏ ସଂସାରରେ ଅନେକ ଲୋକ ଜନ୍ତା ବସାଇ ବସିଛନ୍ତି । ଜୀବନର ଅଭିଜ୍ଞତା ନଥିଲେ ମଣିଷ ସର୍ବସ୍ୱାନ୍ତ ହେଇଯିବାର ଅନେକ ନଜିର୍ ରହିଛି । ଉଦାହରଣ ସ୍ୱରୂପ ବର୍ତ୍ତମାନର ସାଇବର ଅପରାଧ ଯୁଗରେ ସରଳ ହେଲେ ସର୍ବସ୍ୱ ଚାଲିଯିବ । ଏ କ୍ଷେତ୍ରରେ ସରଳ ହେଲେ ସର୍ବସ୍ୱାନ୍ତ ହେଇଯିବାଟା ତ ସୁନିଶ୍ଚିତ । ଦେଖିବାକୁ ଗଲେ କୁଟିଳ ବ୍ୟବହାର କରୁଥିବା ମନୁଷ୍ୟ ଠାରୁ ସରଳ ବ୍ୟବହାର କରୁଥିବା ମନୁଷ୍ୟ ସୁଖୀ । ହେଲେ ମଣିଷକୁ ସରଳ ଜୀବନଯାପନ ପାଇଁ ପାରିପାଶ୍ୱର୍ିକ ପରିସ୍ଥିତି ଏବଂ ଦୁଷ୍ଟବୁଦ୍ଧିସମ୍ପନ୍ନ ମଣିଷମାନେ ପ୍ରତିବନ୍ଧକ ସୃଷ୍ଟି କରନ୍ତି । ସେ ଦୃଷ୍ଟିରୁ ଏକ ସରଳ ମଣିଷ ହେବା ଭାରି କଷ୍ଟ । ସଂସାରରେ ସରଳ ଲୋକଙ୍କୁ କୁଟିଳ ଲୋକେ ଠକିବେ ଏବଂ ଶୋଷଣ କରି ଚାଲିବେ । ସରଳ ମଣିଷର ସରଳତାର ଏହା ହେଉଛି ଫଳ । ଅନ୍ୟପକ୍ଷରେ କୁଟିଳ ବ୍ୟକ୍ତି ନିକଟକୁ କେହି ଭୟରେ ଯିବେ ନାହିଁ । ସେ ଦୃଷ୍ଟିରୁ କୁଟିଳ ମଣିଷ ସାମାଜିକ ଜୀବନରେ ବହୁତ କମ୍ ବନ୍ଧୁଙ୍କୁ ପାଏ । ସରଳ ମଣିଷର ବନ୍ଧୁ ସଂଖ୍ୟା ଅଧିକ ଏବଂ ତାକୁ ଠକିବା ପାଇଁ ବନ୍ଧୁତାର ହାତ ବଢ଼ାଉଥିବା ଲୋକ ଆହୁରି ଅଧିକ । କାହା କଥାକୁ କିଭଳି ଭାବରେ ବିଶ୍ଳେଷଣ କରାଯିବ ତାହା ସରଳ ଲୋକଙ୍କୁ ଜଣାନଥାଏ । ସରଳବିଶ୍ୱାସୀ ଲୋକଙ୍କ ପାଇଁ ସଂସାରର ପାଦେ ପାଦେରେ ବିପଦ ଥାଏ । ଏଭଳି ସବୁ ବିପଦ ଆସିବ ଯେ ଧନସମ୍ପତ୍ତି ହଡ଼ପ୍ କରି ଲୋକେ ନେଇ ଯିବାକୁ ବସିବେ । ସଂସାର ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନଶୀଳ । ଲୋକଙ୍କ ପ୍ରକୃତି ମଧ୍ୟ ପ୍ରତିଦିନ ବଦଳୁଛି । କୌଣସି ଏକ ପ୍ରସଙ୍ଗରେ ମନରେ ଥିବା ଧାରଣା ଗତ କାଲି ଯାହା ଥିଲା ଆଜି ଆଉ ତାହା ନାହିଁ । ତେଣୁ ମୋଟ୍ ଉପରେ ଏକ ସରଳ ବିଶ୍ୱାସୀର ଜୀବନଯାପନ କରିବା ବା ସରଳ ମଣିଷଟିଏ ହେବା ଅତ୍ୟନ୍ତ କଷ୍ଟକର କଥା । ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।