ଚନ୍ଦନ ଯାତ୍ରାରେ ଫୁଟିବନି ବାଣ
chandan yatra

ଭୁବନେଶ୍ୱର : ଚନ୍ଦନ ଯାତ୍ରାରେ ବାଣ ଫୁଟି ୧୭ ଜଣଙ୍କର ମୃତ୍ୟୁ ଘଟଣା ଏବେବି ମନରୁ ଲିଭିନାହିଁ । ଭବିଷ୍ୟତରେ ଏଭଳି ଅଘଟଣକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ଏବର୍ଷ ଚନ୍ଦନ ଯାତ୍ରାରେ ବାଣ ଫୁଟିବନି ବୋଲି ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ୩୦ ତାରିଖ ଅର୍ଥାତ୍ ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ପୁରୀ ଚନ୍ଦନଯାତ୍ରା ବେଳେ ଏଥର ବାଣ ଫୁଟିବ ନାହିଁ । ଭକ୍ତ ତଥା ସାଧାରଣ ଲୋକଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି । ଭକ୍ତ ଓ ସେବାୟତଙ୍କ ପାଇଁ ବୀମା ବ୍ୟବସ୍ଥା କରାଯିବ ।
ଗତବର୍ଷ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟିଥିଲା । ଏହି ଅପ୍ରୀତିକର ଅଘଟଣ ଯୋଗୁଁ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ଆହୁରି ୧୦ରୁ ଅଧିକ ଭକ୍ତ ଓ ସାଧାରଣ ଜନତା ଆହତ ହୋଇଥିଲେ । ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ନିକଟରେ ଭଉଁରୀ ଅବସରରେ ପାରମ୍ପରିକ ଭାବେ ବାଣ ମରାଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା ।