ମୋହନଙ୍କ ବିକଶିତ ଓଡ଼ିଶାର ବ୍ଳୁପ୍ରିଣ୍ଟ
ଭୁବନେଶ୍ୱର: ନୀତି ଆୟୋଗ ବୈଠକରେ ବିକଶିତ ଓଡ଼ିଶାର ବ୍ଳୁପ୍ରିଣ୍ଟ ଉପସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ସେ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଓଡ଼ିଶା ପାଇଁ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଓ ବିଭିନ୍ନ ଯୋଜନାର ସଫଳତା ସଂକ୍ରାନ୍ତରେ ଅବତାରଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ‘ଅପରେସନ୍ ସିନ୍ଦୁର’କୁ ନେଇ ସେନା ବାହିନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ଜାତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୬.୫% ରହିବାକୁ ନେଇ ସେ ମୋଦିଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟର ଅଭିବୃଦ୍ଧି ହାର ୭.୨% ରହିଛି ବୋଲି ଦର୍ଶାଇଥିଲେ । ଗତ ୧୧ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୫ ଥର ଗସ୍ତରେ ଆସି ରାଜ୍ୟ ବିକାଶ ପାଇଁ ପ୍ରତିବଦ୍ଧତା ଦର୍ଶାଇଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିପରି ଓଡ଼ିଶା ଦେଶର ବିକାଶ ଯାତ୍ରାରେ ଗ୍ରୋଥ ଇଞ୍ଜିନ୍ ହେବବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏତଦବ୍ୟତୀତ ଓଡ଼ିଶା ପାଇଁ ୭୩ ହଜାର କୋଟିର ନୂଆ ରେଲୱେ ପ୍ରକଳ୍ପ, ୪୬ ଶହ କୋଟିର ଜାତୀୟ ରାଜପଥ ପ୍ରକଳ୍ପ, ୧୭ ହଜାର ୫ ଶହ କୋଟିର ଅନ୍ୟ ପ୍ରକଳ୍ପ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ କହିଥିଲେଯେ, ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ତାହା ୧.୫ ଟ୍ରିଲିୟନ ଡଲାର ଛୁଇଁବ । ଓଡ଼ିଶାର ଭିଜନ ଡକୁ୍ୟମେଣ୍ଟ ପ୍ରସ୍ତୁତି ପାଇଁ ୩ ଲକ୍ଷ ୨୦ ହଜାର ଲୋକ ପରାମର୍ଶ ଦେଇଛନ୍ତି । ଆସନ୍ତା ଜୁନ୍ ୧୨ରେ ଏହି ଭିଜନ ଡକୁ୍ୟମେଣ୍ଟ ଲୋକାର୍ପିତ ହେବ । ରାଜ୍ୟର ସବୁ ଜମିକୁ ଜଳସେଚନ, ଚାଷୀଙ୍କ ଆୟ ବୃଦ୍ଧି, ଦ୍ରୁତ ସହରୀକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । ସେହିପରି ସୁଦୀର୍ଘ ବେଳାଭୂମି ଥିବାରୁ ବନ୍ଦରଭିତ୍ତିକ ଅର୍ଥନୀତିର ବିକାଶ ଉପରେ ବି ଗୁରୁତ୍ୱାରୋପ କରାଯାଉଛି । ଆଇଟି ଓ ଦକ୍ଷତା ବିକାଶରେ ବି ଓଡ଼ିଶା ବେଶ୍ ଆଗକୁ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ । ସୁଭଦ୍ରା ଯୋଜନାର ସଫଳତା ସହ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ନେଇ କରିଥିବା ଯୋଜନାର ବି ଅବତାରଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଥିଲେଯେ, ଓଡ଼ିଶା ସରକାର ସୁଶାସନ ଉପରେ ଗୁରୁତ୍ୱ ଦେଉଥିବାବେଳେ ସେ ଲୋକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଅଭିଯୋଗ ଶୁଣୁଛନ୍ତି । ଆଗାମୀ ୫ ବର୍ଷରେ ଖାଲିଥିବା ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ । ଓଡ଼ିଶା ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିକରି ଦେଶରେ ପ୍ରଥମ ସ୍ଥାନରେ ରହିଛି । ‘ଏକ ପେଡ଼, ମା କେ ନାମ’ ଅଭିଯାନରେ ରାଜ୍ୟରେ ୬.୬ କୋଟି ବୃକ୍ଷରୋପଣ କରାଯାଇଛି । ସେ ଜଣେ ଶିକ୍ଷକ ହୋଇଥିବାରୁ ଶିକ୍ଷାର ବିକାଶ ପାଇଁ ରାଜ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦିଗରେ ପଦକ୍ଷେପ ନିଆଯାଇଛି । ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀତାରେ ବି ଓଡ଼ିଶା ଉଲ୍ଳେଖନୀୟ ସଫଳତା ହାସଲ କରିଛି । ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି । ଉକôର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶା ୧୬.୭୫ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ହାସଲ କରିଛି । ଜନ ବିଶ୍ୱାସ ଆଇନ୍ -୨୦୨୫ ଭଳି ଓଡ଼ିଶା ଜନ ବିଶ୍ୱାସ ବିଲ୍-୨୦୨୫ ପାଇଁ ଚିଠା ପ୍ରସ୍ତୁତ କରାଯାଉଛି । ଏନଏଚଏଆଇ ଭଳି ଷ୍ଟେଟ ହାଇୱେ ଅଥରିଟି କରାଯାଇଛି । ହୀରାକୁଦକୁୁ ସ୍ୱତନ୍ତ୍ର ପର୍ଯ୍ୟଟନ ଜୋନ ଭାବେ ବିକଶିତ କରାଯାଉଛି । ସେହିପରି ବୁଦ୍ଧିଷ୍ଟ ସର୍କିଟ୍ ସହ ପର୍ଯ୍ୟଟନ ବିକାଶ ପାଇଁ ସମନ୍ୱିତ ମାଷ୍ଟର ପ୍ଳାନ କରାଯାଇଛି । ୨୦୩୬ ସୁଦ୍ଧା ୪୦% ସହରୀକରଣ ଓ ୨୦୪୭ ସୁଦ୍ଧା ୬୦% ସହରୀକରଣ କରିବାକୁ ଯୋଜନା କରାଯାଇଛି । ସେହିପରି ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, କଟକ, ପାରାଦୀପ ଓ ପୁରୀକୁ ନେଇ ୭ ହଜାର କିମିର ମେଟ୍ରୋପଲିଟାନ୍ ରିଜିଅନ୍ ବିକାଶ ନେଇ ଯୋଜନା କରାଯାଉଛି ।