କେଉଁ ସମୟରେ ଲାଗିବ ଚନ୍ଦ୍ରଗ୍ରହଣ?
ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି । ଯାହାକି ଭାରତରେ ଦେଖିବାକୁ ମିଳିବ । ଆସନ୍ତା ୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଛି । ଯାହାକୁ ନେଇ ଶୁଭ-ଅଶୁଭର ଗଣନା କରୁଛନ୍ତି ଜ୍ୟୋର୍ତିବିଦ । ଏହି ଚନ୍ଦ୍ର ଗ୍ରହଣକୁ ନେଇ କିଛି ଜ୍ୟୋର୍ତିବିଦ ଏହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ମତ ରଖିଥିବା ବେଳେ ଅନ୍ୟ ଜ୍ୟୋର୍ତିବିଦ ପଞ୍ଜିକାରେ ସେଭଳି ଦେଶ ପ୍ରତି ଅମଙ୍ଗଳ ନ ଥିବା ଉଲ୍ଲେଖ ଥିବା କହିଛନ୍ତି।
୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଏହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି କିଛି ଜ୍ୟୋର୍ତିବିଦ ଗଣନା କରି କହିଛନ୍ତି । ଭାଦ୍ରବ ମାସ ପୂର୍ଣ୍ଣମୀ ତିଥିରେ ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ଦୋଳପୂର୍ଣ୍ଣମୀରେ କେତୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଛି। ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ଼ ବଡ଼ ପର୍ବ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ତିଥିରେ ପଡୁଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଜ୍ୟୋତିଷ ରାଜପଣ୍ଡିତ ଶିବନାରାୟଣ ମହାପାତ୍ର ଗଣନା କରି କହିଛନ୍ତି ଯେ ୬ ମାସ ବ୍ୟବଧାନରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାଜ୍ୟକୁ ଅଶୁଭ ବେଳା ରହିଛି ।
ଯେମିତି ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଓଡ଼ିଶା । ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତଥା ଭାଗବତ ଜନ୍ମରେ ପଡୁଛି ପ୍ରଥମ ଚନ୍ଦ୍ର ଗ୍ରହଣ। ତେବେ ଭାଦ୍ରବ ପୂର୍ଣ୍ନିମାରେ ହେବାକୁଥିବା ଚନ୍ଦ୍ର ଗ୍ରହଣ ହେଉଛି ରାହୁ ଗ୍ରାସ ଚନ୍ଦ୍ର ଗ୍ରହଣ। ତେବେ ଚନ୍ଦ୍ର ଗ୍ରହଣ ପୁରୀରେ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରୁ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ସାଢେ ତିନିଘଣ୍ଟା ଧରି ଏହା ଅନୁଷ୍ଠିତ ହେବ।