ବ୍ଲ୍ୟୁ ଘୋଷ୍ଟ’ ପଠାଇଲା ଚନ୍ଦ୍ରର ସ୍ପଷ୍ଟ ଚିତ୍ର

ବ୍ଲ୍ୟୁ ଘୋଷ୍ଟ’  ପଠାଇଲା  ଚନ୍ଦ୍ରର ସ୍ପଷ୍ଟ ଚିତ୍ର

ଆମେରିକୀୟ ଘରୋଇ ଏରୋସ୍ପେସ୍‌ କମ୍ପାନୀ ‘ଫାୟାରଫ୍ଲାଏ ଏରୋସ୍ପେସ୍‌’ର ‘ବ୍ଲ୍ୟୁ ଘୋଷ୍ଟ’ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ନିଜ ଲକ୍ଷ୍ୟର ନିକଟତର ହେବାରେ ଲାଗିଛି। ଅବତରଣ କରିବାର କିଛିଦିନ ପୂର୍ବରୁ ଏହା ଚନ୍ଦ୍ରର ବିସ୍ତୃତ ଭିଜୁଆଲ ପଠାଇଛି, ଯାହାକୁ ଫାୟାରଫ୍ଲାଏ ଏରୋସ୍ପେସ୍‌ ପକ୍ଷରୁ ଏକ୍ସ’ରେ ଶେୟାର କରାଯାଇଛି। ଚଳିତ ମାସରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିବା ଏହି ଲୁନାର ଲାଣ୍ଡର ୧୨୦ କି.ମି. ଉପରୁ ଉକ୍ତ ଫୁଟେଜକୁ ରେକର୍ଡ କରିଥିଲା। ଏହି ଫୁଟେଜ୍‌ରେ ଚନ୍ଦ୍ରର ବିସ୍ତୃତ ଦୃଶ୍ୟକୁ ଦେଖିବାକୁ ମିଳିଛି, ଯେଉଁଥିରେ ଏହାର ଦୁର୍ଗମ ଏବଂ ଅସମତଳ ଭୂମି ସହ ବିଭିନ୍ନ ଗର୍ତ୍ତ ଥିବା ସ୍ଥାନକୁ ଦେଖିବାକୁ ମିଳିଛି।
ସେହିପରି ଏହି ଭିଡିଓରେ ଚନ୍ଦ୍ରର ଲୁକ୍କାୟିତ ପାର୍ଶ୍ୱକୁ ଦେଖିବାକୁ ମିଳିଛି, ଯାହାକୁ ପୂର୍ବରୁ କେବେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଚନ୍ଦ୍ରର ଏହି ଲୁକ୍କାୟିତ ପାର୍ଶ୍ୱ ପୃଥିବୀରୁ ଦୃଶ୍ୟମାନ ହୁଏନାହିଁ ବୋଲି ବୁଧବାର ‘ବ୍ଲ୍ୟୁ ଘୋଷ୍ଟ’ର ଉପମୁଖ୍ୟ ଇଞ୍ଜିନିୟର ଯୋଶେଫ ମାର୍ଲିନ କହିଛନ୍ତି। ଚନ୍ଦ୍ରର ଚତୁଃପାର୍ଶ୍ୱରେ ବ୍ଲ୍ୟୁ ଘୋଷ୍ଟ ପରିକ୍ରମା କରୁଥିବା ସମୟରେ ଉକ୍ତ ଫୁଟେଜକୁ ନିଆଯାଇଛି। ଏହି ଫୁଟେଜରୁ ବୈଜ୍ଞାନିକମାନଙ୍କୁ ଚନ୍ଦ୍ର ଭୂବିଜ୍ଞାନ ବିଷୟରେ ମୂଲ୍ୟବାନ୍‌ ସୂଚନା ମିଳିଥିବା ଯୋଶେଫ କହିଛନ୍ତି। ସେ ଏହି ଫୁଟେଜକୁ ଭରପୂର ପ୍ରଶଂସା ମଧ୍ୟ କରିଛନ୍ତି। ଚନ୍ଦ୍ରର ଏପରି ବିସ୍ତୃତ ଦୃଶ୍ୟ ଦେଖିବାର ଅନୁଭୂତି ଅବିଶ୍ୱସନୀୟ ହୋଇଥିବା ସେ କହିଛନ୍ତି। ଆସନ୍ତା ମାର୍ଚ୍ଚ ୨ରେ ବ୍ଲ୍ୟୁ ଘୋଷ୍ଟ ମହାକାଶଯାନ ମାରେ କ୍ରିସିୟମରେ ଲାଣ୍ଡିଂ କରିବ ବୋଲି ତାରିଖ ସ୍ଥିର ହୋଇଥିବା ସେ ସୂଚନା ଦେଇଛନ୍ତି।
ଗତ ଜାନୁଆରୀ ୧୫ରେ ଫ୍ଲୋରିଡାର କେନେଡ଼ି ସ୍ପେସ୍‌ ସେଣ୍ଟରରୁ ବ୍ଲ୍ୟୁ ଘୋଷ୍ଟ ଲୁନାର ଲାଣ୍ଡରକୁ ଲଞ୍ଚ୍‌ କରାଯାଇଥିଲା। ସ୍ପେସ୍‌ ଏକ୍ସ’ର ଫାଲ୍‌କନ-୯ ରକେଟରୁ ଅଲଗା ହେବା ପରେ ଟେକ୍ସାସରେ ଥିବା ସ୍ପେସ୍‌ ଏକ୍ସ ମିଶନ ଅପରେଶନ ସେଣ୍ଟର ପକ୍ଷରୁ ଏହାର ଗତିବିଧି ଉପରେ ନଜର ରଖାଯାଇଛି। ଚନ୍ଦ୍ରକୁ ଯିବା ପୂର୍ବରୁ ଏହି ମହାକାଶଯାନ ୨୫ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରିଥିଲା। ପରେ ଏହାକୁ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବାକୁ ୪ ଦିନ ସମୟ ଲାଗିଥିଲା। ଫେବୃଆରୀ ୧୩ରୁ ବ୍ଲ୍ୟୁ ଘୋଷ୍ଟ ଚନ୍ଦ୍ରର ପରିକ୍ରମା କରିଆସୁଛି। ଚନ୍ଦ୍ରରେ ବ୍ଲ୍ୟୁ ଘୋଷ୍ଟର ସଫଳ ପରିକ୍ରମା ଏବଂ ଏହାର ଆଗାମୀ ଲାଣ୍ଡିଂ ଚନ୍ଦ୍ର ସମ୍ବନ୍ଧିତ ବିଭିନ୍ନ ଗବେଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ବିଶ୍ୱାସ ରଖିଛନ୍ତି।