ଇଣ୍ଡିଆ ଏଗେନେଷ୍ଟ ନେଗେଟିଭିଟିର ଏକାଦଶ ସଂସ୍କରଣ ଅନୁଷ୍ଠିତ ; ନକରାତ୍ମକତା ବିରୋଧରେ ଏକଜୁଟ ପାଇଁ ଆହ୍ୱାନ
ଭୁବନେଶ୍ୱର : ଇଣ୍ଡିଆ ଏଗେନେ୍ଷ୍ଟ ନେଗେଟିଭିଟି (ଆଇଏଏନ୍)ର ଏକାଦଶ ସଂସ୍କରଣ ରବିବାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ଭାରତରେ ଅବସ୍ଥାପିତ ରୁଆଣ୍ଡା ଉଚ୍ଚାୟୁକ୍ତ ଜାକଲିନ୍ ମୁକାଙ୍ଗିରା, ଓଡିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏମ୍ଏମ୍ ଦାସ, ଜଷ୍ଟିସ୍ ବିପି ଦାସ, ଓଡିଶା ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାରୀ, ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ଓଡିଶାର ପୂର୍ବତନ ମହାଅଧିବକ୍ତା ଅଶୋକ ପରିଜା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଓ ଜଷ୍ଟିସ୍ ଏନ୍ ସନ୍ତୋଷ ହେଗଡ ଭର୍ଚୁଆଲ୍ରେ ଯୋଗଦେଇଥିଲେ । ଡ. ବିଆର୍ ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଘଣ୍ଟ ଚକ୍ରପାଣି, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପି ଶେଷାଦ୍ରି, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ସମ୍ପାଦକ ଅଶୋକ ଶ୍ରୀବାସ୍ତବ, ଦକ୍ଷିଣ ଭାରତର ପ୍ରକାଶକ ଦେବେନ୍ଦ୍ର ଶର୍ମା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଲସ୍ତେ କହିଲେ, ନାନା ବାଧାବିଘ୍ନ ସତ୍ତେ୍ୱ ଅଚ୍ୟୁତ ସାମନ୍ତ ସମାଜର ଅବହେଳିତ ବର୍ଗ ବିଶେଷ କରି ଜନଜାତିଙ୍କ ବିକାଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି । ଏହା ତାଙ୍କର ସକରାତ୍ମକ ମନୋଭାବର ପରିଚାୟକ ବୋଲି ସେ କହିଥିଲେ । ଶ୍ରୀମତୀ ମୁକାଙ୍ଗିରା କହିଲେ, ବ୍ୟକ୍ତି ସମ୍ମାନ, ସୁରକ୍ଷା ଦିଗରେ ଅହିଂସା ହେଉଛି ସର୍ବୋତ୍ତମ ମାର୍ଗ । ଆମେ ମହାତ୍ମା ଗାନ୍ଧୀଙ୍କଠାରୁ ଏହି ଅହିଂସା ନୀତି ଶିକ୍ଷା କରିଛୁ । ନକରାତ୍ମକତା କିଛି ନୂଆ କଥା ନୁହେଁ ବୋଲି ଜଷ୍ଟିସ୍ ପୂଜାରୀ କହିଥିଲେ । ମହାଭାରତ ସମୟରୁ ନକରାତ୍ମକତା ରହିଆସିଛି । ତେବେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଏହି ଚ୍ୟାଲେଞ୍ଜକୁ ଆମେ ସାହସିକତାର ସହ ସାମନା କରିବା ଉଚିତ ବୋଲି ସେ କହିଥିଲେ । ଜଷ୍ଟିସ୍ ଏମ୍ଏମ୍ ଦାସ ନିଜ ବକ୍ତବ୍ୟରେ ସାମାଜିକ ଗଣମାଧ୍ୟମ ନକରାତ୍ମତା ଧାରାକୁ ବଞ୍ଚାଉଛି ବୋଲି କହିଥିଲେ । ଏ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ନେଇ ସେ ଉଦ୍ବେଗ ପ୍ରକାଶ କରିଥିଲେ । ନକରାତ୍ମକ ଶକ୍ତି ବିରୋଧରେ ସମସ୍ତେ ଦୃଢତାର ସହ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ । ଜଷ୍ଟିସ୍ ବି ପି ଦାସ କହିଲେ, ଆମେ ନକରାତ୍ମକତା ଭଳି ଛୋଟ ଚିନ୍ତାଧାରାକୁ ଗୁରୁତ୍ୱ ଦେବା ଉଚିତ ନୁହେଁ ଏବଂ ସମସ୍ତେ ଏକାଠି ହୋଇ ରାଷ୍ଟ୍ରଗଠନ ଦିଗରେ କାର୍ଯ୍ୟ କରିବା ଉଚିତ । ଜଷ୍ଟିସ୍ ହେଗଡ ଡ. ସାମନ୍ତଙ୍କ ଏହି ପ୍ରୟାସକୁ ପ୍ରଶଂସା କରି କହିଲେ, ଜନଜାତିଙ୍କ ଉତ୍ଥାନ ଦିଗରେ ଶ୍ରୀ ସାମନ୍ତ ଅବିରତ କାର୍ଯ୍ୟ କରିବା ହେଉଛି ସକରାତ୍ମକତାକୁ ପ୍ରୋତ୍ସାହିତ କରିବା ।