ଶିକ୍ଷକଙ୍କୁ ମାଡ଼ ମାରିଲେ ସରପଞ୍ଚଙ୍କ ସ୍ୱାମୀ; ଥାନାରେ ଅଭିଯୋଗ
ବିଞ୍ଝାରପୁର : ଏହି ଥାନା ବରୀ ବ୍ଲକ ମଧୁସୂଦନପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ବିଦ୍ୟାଳୟରେ ପଶି ଜଣେ ଶିକ୍ଷକଙ୍କୁ ମାଡ଼ ମାରିଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲାରୁଜୁ କରି ଘଟଣାର ତଦନ୍ତ କରୁଛି । ଅଭିଯୋଗ ମତେ ସବୁଦିନ ପରି ଆଜି ମଧୁସୂଦନପୁର ପଞ୍ଚାୟତ ସୁନ୍ଦରପୁର ଗ୍ରାମରେ ଥିବା ବିଳାସିନୀ ନୋଡାଲ ୟୁପି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବାହ୍ନ ୯.୪୫ ସମୟରେ ବିଦ୍ୟାଳୟରେ ପହଁଚି ପରିମଳ କାର୍ଯ୍ୟ କରୁଥିବା ବେଳେ ମଧୁସୂଦନପୁର ପଞ୍ଚାୟତର ସରପଞ୍ଚ ସୁଚିତ୍ରା ମଲ୍ଲିକ ପହଁଚିଥିଲେ । ଏହି ସମୟରେ ଜଣେ ବାଳିକା ବିଦ୍ୟାଳୟ ଗୃହ ଝାଡୁ କରୁଥିବା ଦେଖି ଉତକ୍ଷିପ୍ତ ହୋଇଥିଲେ । ଏପିଲାକୁ କିଏ ଝାଡୁ କରିବାକୁ କହିଛି ବୋଲି ପ୍ରଧାନ ଶିକ୍ଷକ ଦୀପକ କୁମାର ମଲିକଙ୍କୁ ପଚାରିଥିଲେ । ଆମେ କହିନୁ ପିଲା ତାଙ୍କର ନିଜେ କ୍ଲାସ ରୁମ ଝାଡୁ କରୁଛନ୍ତି ବୋଲି ଉତରେ ଦେଇଥିଲେ । ଏଥିରେ ସରପଞ୍ଚ ଶ୍ରୀମତୀ ମଲ୍ଲିକ ତମତମ ହୋଇ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକଙ୍କ ଚୌକିରେ ବସିଥିଲେ । ଏହି ସମୟରେ ପ୍ରଧାନ ଶିକ୍ଷକ ନିଜ ମୋବାଇଲରେ ସରପଞ୍ଚଙ୍କ ଏକ ଫଟୋ ଉଠାଇଥିଲେ । ଏଥିରେ ସରପଞ୍ଚ ଉତକ୍ଷିପ୍ତ ହୋଇ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ମଲ୍ଲିକଙ୍କୁ ଫୋନ ଯୋଗେ ଡାକିଥିଲେ । ଶ୍ରୀକାନ୍ତ ପହଁଚି ପ୍ରଧାନ ଶିକ୍ଷକଙ୍କୁ ଜାଜିଆଁଣ ଆକ୍ଷେପକରି ଗାଳିଗୁଲଜ କରିବାସହ କଲର ଧରି ବିଧା, ଚାପୁଡ଼ା ମାରି ସାର୍ଟକୁ ଟାଣି ଚିରିବାସହ ମୋବାଇଲ ଛଡାଇ ନେଇଥିଲେ । ଏସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ ଥାନାରେ ପହଁଚି ଅଭିଯୋଗ କରିଥିଲେ ।