ସୂର୍ଯ୍ୟବଂଶୀଙ୍କ ହସ୍ତକ୍ଷେପ ପରେ... ନବକଳେବର ହେବ ଧାମନଗର-ଫଳପୁର ରାସ୍ତା

ଧାମନଗର: ସରକାର ପରେ ସରକାର, ନେତା ପରେ ନେତା ବଦଳୁଥିଲେ । ହେଲେ ବିପର୍ଯ୍ୟସ୍ତ ଧାମନଗର ଫଳପୁର ରାସ୍ତାର ଭାଗ୍ୟ ବଦଳୁ ନଥିଲା । ତକôାଳୀନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲଙ୍କ ଉଦ୍ୟମ ଫଳରେ ଏ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨୧ ବର୍ଷ ହେବ ଏ ରାସ୍ତା କାର୍ଯ୍ୟ ସରିପାରିଲା ନାହିଁ । ହେଲେ ପ୍ରତିବର୍ଷ ମରାମତି ନାଁରେ ଲକ୍ଷାଧିକ ଲକ୍ଷ ଟଙ୍କା ଖର୍ଚ୍ଚ ଚାଲିଛି । ବର୍ତ୍ତମାନର ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ସମସ୍ୟା ଉପରେ ଦୃଷ୍ଟିଗୋଚର କରିଥିବା ବେଳେ ଖୁବ୍ଶୀଘ୍ର ଏହି ରାସ୍ତାର ନବକଳେବର ହେବ ବୋଲି କହିଛନ୍ତି ।
ଧାମନଗର-ଫଳପୁର ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ୨୯ କୋଟି ଟଙ୍କା ମଞ୍ଜୁର ହୋଇଛି । ରାସ୍ତା ନିର୍ମାଣ ଲାଗି ବିଭାଗ ପକ୍ଷରୁ ନକ୍ସା ପ୍ରସ୍ତୁତ ହୋଇ ସାରିଥିବାବେଳେ ଏବେ ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହେଉଛି । ଡିପିଆର ତିଆରି ହୋଇଗଲା ପରେ ଟେଣ୍ଡର ପ୍ରକ୍ରିୟାକୁ ଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଧାମନଗର-ଫଳପୁର ରାସ୍ତାଟି ଦୀର୍ଘ ବର୍ଷ ହେବ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ପ୍ରତିବର୍ଷ ବନ୍ୟା ଓ ଭାରୀଯାନ ଚଳାଚଳ ଯୋଗୁଁ ଏହାନଷ୍ଟ ହୋଇଯାଇଥିଲା । ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀ ୨୦୨୦ ଫେବ୍ରୁଆରିରେ ବିଧାନସଭାର ବଜେଟ ଅଧିବେଶନରେ ଏ ସମସ୍ୟା ଉଠାଇଥିଲେ । ଆଉ ଏହାପରେ ରାସ୍ତା ନିର୍ମାଣ ହୋଇଥିଲେ ବି ତାହା ପରବର୍ତ୍ତୀ ସମୟରେ ଭାଙ୍ଗି ଯାଇଛି । ପରେ ଧାମନଗରରୁ ନିର୍ବାଚିତ ହୋଇ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ ସୁରଜ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବା ଲାଗି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରଥମେ ଏ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଇଥିଲେ । ତା ପରେ ସଂପୂର୍ଣ୍ଣ ଭାବେ ନୂଆକରି ନିର୍ମାଣ ଲାଗି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରସ୍ତାବ ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।