ବିଜେଡ଼ିକୁ ବଦନାମ କରୁଥିବା ଅଭିଯୋଗ

ବିଜେଡ଼ିକୁ ବଦନାମ କରୁଥିବା ଅଭିଯୋଗ

ନିମାପଡ଼ା : ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ଥିବା ବେଳେ ନିମାପଡା ନିର୍ବାଚନ ମଣ୍ଡଳୀରେ ଏପର୍ଯ୍ୟନ୍ତ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହଁ । ଏହାର ଫାଇଦା ନେଇ କେତେକ ଲୋକ ବିଜେଡିକୁ ବଦନାମ କରିବା ସହିତ କିଛି ଗ୍ରାମକୁ ବଦନାମ ମଧ୍ୟ କରୁଥିବାର ଅଭିଯୋଗ ହେଉଛି । ସୂଚନା ଅନୁଯାଇ ପାର୍ବତୀ ବେହେରା ନାମକ ଜନୈକା ମହିଳା ପିପିଲି ପୁଲିସ ଉପଖଣ୍ଡ ଅଧିକାରୀଙ୍କ ନିକଟରେ ଏକ ଅଭିଯୋଗ କରିଥିଲେ କି ନିମାପଡାର ବିଧାୟକ ସମୀର ରଞ୍ଜନ ଦାଶ ତାଙ୍କୁ ୨୦୨୩ ମସିହା ଫେବୃଆରୀ ୧୮ ତାରିଖରେ ଅସଦାଚରଣ କରିଥିଲେ । ଏହି ଅଭିଯୋଗରେ ଭୁଲ୍ ଠିକଣା ଉଲ୍ଲେଖ କରିବା ସହିତ ସାମାଜିକ ଗଣମାଧ୍ୟମରେ ମଧ୍ୟ ତାଙ୍କ ଘର ବାମନାଳ ଓ ଥାନା ବଳଙ୍ଗା ବୋଲି କହିଥିଲେ । ଏହି ଖବର ପାଇବା ପରେ ବାମନାଳ ଗ୍ରାମପଞ୍ଚାୟତର ସରପଞ୍ଚ ସୁରେନ୍ଦ୍ର କୁମାର ସ୍ୱାଇଁଙ୍କ ସହିତ ବାମନାଳ ଗ୍ରାମର କିଛି ଲୋକ ଆସି ଗତକାଲି ନିମାପଡା ପୁଲିସ ଉପଖଣ୍ଡ ଅଧିକାରୀଙ୍କ ନିକଟରେ ଏକ ଅଭିଯୋଗ କରିଛନ୍ତି । ଏଥିରେ ଉଲ୍ଲେଖ କରିଛନ୍ତି ଯେ, ପାର୍ବତୀ ବେହେରା ନାମରେ କୈାଣସି ମହିଳା ବାମନାଳ ଗ୍ରାମରେ ନାହାଁନ୍ତି । ଏଣୁ ସଂପୃକ୍ତ ମହିଳା ପିପିଲି ପୁଲିସ ଉପଖଣ୍ଡ ଅଧିକାରୀଙ୍କ ନିକଟରେ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ କପୋଳକଳ୍ପିତ ଓ ସେ ଲେଖିଥିବା ଠିକଣା ସମ୍ପୂର୍ଣ ମିଥ୍ୟା । ଏଠାରେ ସୂଚନା ଯୋଗ୍ୟ ବାମନାଳ ଗ୍ରାମର ଥାନା ବଳଙ୍ଗା ନୁହେଁ ନିମାପଡା । କିନ୍ତୁ ସେ ମହିଳା ଜଣକ ସେତିକି ବି ଜାଣି ନାହାନ୍ତି ବାମନାଳ କୋଉ ଥାନା ଅଧିନରେ ଆସୁଛି । ଆଉ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ଯେ ପାର୍ବତୀ ବେହେରାଙ୍କ ସ୍ୱାମୀ ଗଦାଧର ବେହେରା ବୋଲି । ଏପରି ବ୍ୟକ୍ତି ବି ବାମନାଳ ଗ୍ରାମରେ ନାହାନ୍ତି । ବାମନାଳ ଏକ ଶିକ୍ଷିତ ଏବଂ ଐତିହ ଗ୍ରାମ ହୋଇ ଥିବାରୁ ଗ୍ରାମକୁ ବଦନାମ କରିବା ସହିତ ନିମାପଡା ବିଧାୟକଙ୍କୁ ସୁଚିନ୍ତିତ ଭାବେ ବଦନାମ କରୁଛନ୍ତି । ଏହା ଦ୍ୱାରା ଗ୍ରାମର ଶିକ୍ଷିତ ସମାଜ ବଦନାମ ହେଉଛନ୍ତି । ପଞ୍ଚାୟତର ସରପଞ୍ଚ ହିସାବରେ ଉକ୍ତ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ଦୋଷୀ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।