ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ନବରଙ୍ଗପୁର/ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଦ୍ୱାରା ଗଠିତ ପିସିସି ଟିମ୍ ଆଜି ପୁରୀ ଗସ୍ତ କରିଥିଲେ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଜୀଉମାନଙ୍କ ଦର୍ଶନ କରିବା ସହିତ ଅଭାବନୀୟ ଦଳାଚକଟା ସଂକ୍ରାନ୍ତରେ ସବିଶେଷ ଅନୁଧ୍ୟାନ କରିଥିଲେ । ସେଠାରୁ ଜିଲ୍ଲା ମୁଖ୍ୟ ଚିକିସôାଳୟ ଯାଇ ଦଳାଚକଟାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଏବଂ ଚିକିସôା କଥା ବୁଝିଥିଲେ । କଂଗ୍ରେସ ଟିମ୍ ମଧ୍ୟ ଗୁଣ୍ଡିଚା ଘର ସାମ୍ନାରେ ଥିବା ଜିଲ୍ଲା କଂଗ୍ରେସ ସେବା ଶିବିରରେ ପହଞ୍ଚି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ସହାୟତା ଏବଂ ଗୁରୁତର ଆହାତ ହୋଇଥିବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ସ୍ୱତନ୍ତ୍ର ସହାୟତା ଦାବିକୁ ଟିମ୍ ଦୋହରାଇଥିଲେ । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କ ମୁଣ୍ଡରେ ପରିଚାଳନା ଦାଇତ୍ୱ ନ୍ୟସ୍ତ ଥିବା ଦୃଷ୍ଟିରୁ ନୈତିକତା ଦୃଷ୍ଟିରୁ ସେମାନେ ଇସ୍ତଫା ଦିଅନ୍ତୁ ବୋଲି ଟିମ୍ ଦାବି କରିଛି । ନୀଳାଦ୍ରି ବିଜେ ପରେ ୧୦ ଦିନ ମଧ୍ୟରେ ଘଟଣାର କାର୍ଯ୍ୟରତ ଜିଲ୍ଲା ଜଜ୍ଙ୍କ ଦ୍ୱାରା ତଦନ୍ତ କରାଯାଇ ସୁପାରିଶ ଭିତରେ କାର୍ଯ୍ୟାନୁଷ୍ଠନ ହେଉ ବୋଲି ଦାବି କରିଛନ୍ତି । ସେପଟେ ଅତ୍ୟଧିକ ଭିଆଇପି ହୋଇଥିବା ଯୋଗୁଁ ସାଧାରଣ ଭକ୍ତ ଦର୍ଶନ କରିପାରିନଥିଲେ, ଯାହା ଫଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି । ରଥଯାତ୍ରା ଭକ୍ତ କୈନ୍ଦ୍ରିକ ବଦଳରେ ଭିଆଇପି କୈନ୍ଦ୍ରିକ ହୋଇଥିବା କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେହିପରି ବହୁ ଆଡ଼ମ୍ବରେ ଲଘୁକ୍ରିୟା ହୋଇଛି ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।