ଜଗନ୍ନାଥଙ୍କୁ ନେଇ ରାଜ୍ୟ ସରକାର ଖେଳୁଛନ୍ତି: କଂଗ୍ରେସ

ଜଗନ୍ନାଥଙ୍କୁ ନେଇ ରାଜ୍ୟ ସରକାର ଖେଳୁଛନ୍ତି: କଂଗ୍ରେସ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ଆରାଧ୍ୟ ଦେବତା। ମାତ୍ର ରାଜ୍ୟ ସରକାର ଜଗନ୍ନାଥଙ୍କୁ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହା ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରୁଛି ବୋଲି ପିସିସି ମୁଖପାତ୍ର ଲଲାଟେନ୍ଦୁ ଦାସ କ୍ଷୋଭର ସହ କହିଛନ୍ତି। ବୁଧବାର ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ ଦେଶରେ ହୀନ ରାଜନୀତି ଚାଲିଥିବାବେଳେ ଏଥିରୁ ମହାପ୍ରଭୁ ଜଗନ୍ନାଥ ବି ବାଦ୍‌ ପଡ଼ୁନାହାନ୍ତି। ୫୦୦, ୧୦୦ ଟଙ୍କାରେ ଭିଆଇପି ଦର୍ଶନ ନଁାରେ ବର୍ଷକୁ ୧୮୦୦ କୋଟି ଅର୍ଥ ବେଆଇନ ଭାବେ ଆଦାୟ କରାଯାଉଛି, ଯାହାର ତଦନ୍ତ ହେବା ଆବଶ୍ୟକ।
ଲଲାଟେନ୍ଦୁ କହିଛନ୍ତି, ଶ୍ରୀମନ୍ଦିରର ମରାମତି ଓ ତଦାରଖ ଦାୟିତ୍ୱ ଏଏସ୍‌ଆଇକୁ ଦିଆଯାଇଛି। ହେଲେ ନୋ ଫଟୋଗ୍ରାଫି ଜୋନ୍‌ରେ ଶ୍ରୀମନ୍ଦିର ଫଟୋ କିପରି ଭାଇରାଲ ହେଉଛି ଏବଂ ଏଥିପାଇଁ ଫୌଜଦାରି ମକଦ୍ଦମା ରୁଜୁ ହୋଇନାହିଁ କାହିଁକି? ସେହିପରି ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରକୁ ବ୍ୟବହାର କରି ଡୋର୍‌ମ୍ୟାଟ୍‌(ପାପୋଛ) ଅଲ୍ଲୀ ଏକ୍ସପ୍ରେସ୍‌ ନାମକ ସଂସ୍ଥା ଅନ୍‌ଲାଇନରେ ବିକ୍ରି କରୁଛି। ଏହା ଘୋର ନିନ୍ଦନୀୟ ଘଟଣା। ଏପରି ଆଇନବିରୋଧୀ କାର୍ଯ୍ୟ ବାରମ୍ବାର ହେବାର କାରଣ ହେଉଛି ସରକାରଙ୍କ ନିଷ୍କ୍ରିୟତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଟ୍ରମ୍ପ୍‌ଙ୍କ ଡାକରା ଛାଡ଼ି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଚାଲିଆସିଛନ୍ତି, ହେଲେ ପୁରୀ ସାଂସଦ କହୁଛନ୍ତି ଜଗନ୍ନାଥ ମୋଦିଙ୍କ ଭକ୍ତ। ଗତବର୍ଷ ରଥଯାତ୍ରାରେ ବଡ଼ଠାକୁର ଚାରମାଳରୁ ପଡ଼ିଯିବା ଘଟଣାର ତଦନ୍ତ ରିପୋର୍ଟ ବର୍ଷେ ହେଲା କିନ୍ତୁ ପ୍ରକାଶ ପାଇଲାନାହିଁ। ଚଳିତବର୍ଷ ରଥଯାତ୍ରାରେ ଦଳାଚକଟା ଘଟଣାଠାରୁ ଆରମ୍ଭକରି ଏଆଇ କ୍ୟାମେରା ପର୍ଯ୍ୟନ୍ତ ବହୁ ଘଟଣା ଘଟିଗଲାଣି। ହେଲେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଖବରଦାତା ସମ୍ମିଳନୀରେ ମୁଖପାତ୍ର ଜୟଶ୍ରୀ ପାତ୍ର, ଡ. ଦେବାଶିଷ ଭୂୟାଁ ଓ ଅଶୋକ ସ୍ବାଇଁ ଉପସ୍ଥିତ ଥିଲେ।