ପାରମ୍ପାରିକ ଧାନରୁଆ ମହିଳାଙ୍କୁ ଦେଉଛି ରୋଜଗାର  


 କୋକସରା : କଳାହାଣ୍ଡି କୃଷି ଓ କୃଷକଙ୍କ ଜିଲ୍ଲା, ଏଠି ପ୍ରାୟତଃ ନିଜର ଜୀବନ ଜୀବିକା ଚାଷ କାର୍ଯ୍ୟ ଉପରେ ନିର୍ଭର କରନ୍ତି  । ଜୀବନ ଜୀବିକା ପ୍ରଧାନ ପନ୍ଥା କୃଷି ହୋଇଥିବା ବେଳେ ଅନେକ ସମୟରେ ଅଞ୍ଚଳବାସୀ ଧାନ ଉତ୍ପାଦନ କରି ଆସୁଛନ୍ତି । ମଣିଷ ସଭ୍ୟତାର ଅସ୍ଥିତ୍ୱ ପାଇଁ ଆଦ୍ୟରୁ କୃଷି ଉପରେ ନିର୍ଭର କରି ଆସୁଥିବା ବେଳେ ସମୟର ସ୍ରୋତରେ ଆଧୁନିକ କୃଷି ଯନ୍ତ୍ରପାତି, ନୂତନ କୃଷି ପଦ୍ଧତି, ନୂତନ ବୈଷୟିକ ଜ୍ଞାନ କୌଶଳ, ଆଧୁନିକ କୃଷି ପ୍ରଣାଳୀ, ବୈଜ୍ଞାନିକ ଦୃଷ୍ଟିକୋଣ କୃଷି କ୍ଷେତ୍ରରେ ସମୟ ଲାଘବ କରିବା ସହ ଶ୍ରମଦାନ ସ୍ୱରକୁ ହ୍ରାସ କରିଛି । ଅନ୍ୟପକ୍ଷେ ହଜାରେ ବର୍ଷରୁ ଚାଲି ଆସୁଥିବା ପାରମ୍ପାରିକ କୃଷି ପ୍ରଣାଳୀ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ଯାନ୍ତ୍ରିକ ଯୁଗର ବିକାଶ ଫଳରେ ଆଧୁନିକ ଚାଷ ପଦ୍ଧତି ପ୍ରତି ଚାଷୀଙ୍କ ଆଗ୍ରହ ବୃଦ୍ଧି ପାଇଛି । ଏସବୁ ସତ୍ତ୍ୱେ ଆଜିବି ଅନେକ ପ୍ରତିଶତ ଅତି ଗରିବ ଶ୍ରେଣୀର ଚାଷୀ ପରିବାର ଆଜିବି ପୁରାତନ ପାରମ୍ପାରିକ ଚାଷ ପଦ୍ଧତି ଅବଲମ୍ବନ କରି ଆସୁଛନ୍ତି । କ୍ଷେତ ପ୍ରସ୍ତୁତି ପାଇଁ ବଳଦ ହଳ, ସାହାଯ୍ୟରେ ଧାନ ରୁଆ ଆଦି କୃଷି କାର୍ଯ୍ୟ ଆଦି ଜିଲ୍ଲା  କୋକସରା ବ୍ଲକର ଗ୍ରାମାଞ୍ଚଳ ମାନଙ୍କରେ ଚାଷୀ ପରିବାର ଏହି ପାରମ୍ପାରିକ ପୁରାତନ ପଦ୍ଧତି ଅନୁସରଣ କରୁଛନ୍ତି । ଏସବୁ କୃଷି ଭିତ୍ତିକ କାର୍ଯ୍ୟରେ ମହିଳାଙ୍କ ଅଂଶୀଦାର ବହୁଳ ମାତ୍ରାରେ ଦେଖିବାକୁ ମିଳିଥାଏ । ବର୍ଷା ଅଭାବରୁ କେଉଁଠି ଚାଷଜମିକୁ ଧାନ ରୁଆ ପାଇଁ କେଉଁଠି ଚାଷୀ କ୍ଷେତ ପ୍ରସ୍ତୁତ କରୁଥିବା ବେଳେ କେଉଁଠି ଚାଷୀ ଜମିରେ ଧାନ ରୋଇ ସାରିଲାଣି ତ କେଉଁଠି ଚାଲିଛି ଧାନରୁଆ କାର୍ଯ୍ୟ । ପୁରାତନ ପାରମ୍ପାରିକ ଚାଷ ପ୍ରଣାଳୀରେ ଏବେ ବି ଚାଷ କାର୍ଯ୍ୟ ଚାଲିଛି । ଗାଁ ମହିଳାମାନେ ଦଳଗତ ଭାବେ ଅର୍ଥ ରୋଜଗାର କରିବାକୁ ଧାନ ରୁଆ କାର୍ଯ୍ୟରେ ବ୍ୟସ୍ତ ଥିବା ଚିତ୍ର ଦେଖିବାକୁ ମିଳୁଛି । ଘଣ୍ଟା ଘଣ୍ଟା ଧରି ପାଣି କାଦୁଅରେ ଧାନ ରୁଆ କାର୍ଯ୍ୟ କଷ୍ଟସାଧ୍ୟ ହେଲେ ମଧ୍ୟ ଗରିବ, ଅତି ଗରିବ ଶ୍ରେଣୀ ମହିଳା ବର୍ଷା ଋତୁ ଆସିଲେ ଏହି କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଠିକାରେ ଯଦି ଧାନ ରୁଆ ହୋଇଥାଏ, ଦୈନଦିନ ନିର୍ଦ୍ଧାରିତ ମଜୁରୀ ଅପେକ୍ଷା ସାମାନ୍ୟ ଅଧିକ ଟଙ୍କା ପାଇଥାନ୍ତି ମହିଳାମାନେ । ଦିନ ମଜୁରୀରେ କେଉଁଠି ୨୦୦ ଟଙ୍କା ତ ଆଉ କେଉଁଠି ୨୫୦ ଟଙ୍କା ମଜୁରୀ ଚାଲିଛି । ଏକକାଳୀନ ରୁଆ କାର୍ଯ୍ୟ ଚାଲୁଥିବାରୁ ବଡ଼ ଚାଷୀ, ମଧ୍ୟମ ଚାଷୀ ଏମାନଙ୍କ ନିକଟକୁ ଆସି ଦିନ ମଜୁରୀ ଓ ଠିକା ଆକାରରେ ଛିଡାଇ ଅଗ୍ରୀମ ଟଙ୍କା ନେଇଥାନ୍ତି । ଦଳର ନେତୃତ୍ୱ ନେଉଥିବା ମୁଖିଆ ଏବଂ ସହଯୋଗୀ ମହିଳା କିଛି ଜମିର କ୍ଷେତ୍ରଫଳ ଦେଖି ରୁଆ ଖର୍ଚ୍ଚ ନିର୍ଦ୍ଧାରିତ କରିଥାନ୍ତି ।  ନିକଟ ଓ ଦୂରବର୍ତ୍ତୀ ସ୍ଥାନକୁ ଯାଇ କାର୍ଯ୍ୟ କରି ଆସୁଛନ୍ତି । କାମ ସାରି ପୁଣି ଘର କାମ କରିବାକୁ ଜମିରୁ ସଞ୍ଜ ନଇଁବା ବେଳକୁ ଘର ଅଭିମୁଖେ ଫେରିଥାନ୍ତି । ଯାନ୍ତ୍ରିକ ଯୁଗରେ ପୁରାତନ  ପଦ୍ଧତିରେ ଚାଷ କାର୍ଯ୍ୟ ତ୍ୱରାନ୍ୱିିତ ହେବାରୁ ମହିଳାମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ସାଜୁଛି ।