ଚରିତ୍ର ଉପରେ ସ୍ୱାମୀ ସନ୍ଦେହ କଲେ ଏକତ୍ର ରହିବା ପାଇଁ ପତ୍ନୀଙ୍କ ପ୍ରତ୍ୟାଖ୍ୟାନ ସ୍ୱାଭାବିକ

କଟକ : ପ୍ରମାଣ ନଥାଇ ସ୍ତ୍ରୀର ଚରିତ୍ର ଉପରେ ସ୍ୱାମୀ ଆପତ୍ତି ଉଠାଇଲେ ସ୍ତ୍ରୀ ଅଲଗା ହୋଇ ରହିବାର ଯଥେଷ୍ଟ କାରଣ ବୋଲି ଧରାଯିବ। ଅନ୍ୟପଟରେ ସିଆରପିସିର ଧାରା ୧୨୫(୪)ରେ ତାଙ୍କୁ ରକ୍ଷଣାବେକ୍ଷଣ ଦାବିରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏକ ବୈବାହିକ ବିବାଦ ତଥା ଭରଣପୋଷଣ ମାମଲାରେ ପରିବାର ଅଦାଲତଙ୍କ ଆଦେଶକୁ କାଏମ ରଖିବା ସହ ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଏପରି ରାୟ ଦେଇଛନ୍ତି। ଜଣେ ପତ୍ନୀଙ୍କ ପବିତ୍ରତା ହେଉଛି ଅମୂଲ୍ୟ ସମ୍ପତ୍ତି। ଏହା ଉପରେ ଯଦି ସ୍ୱାମୀ ସନ୍ଦେହ କରିଥାଏ, ତାହେଲେ ପତ୍ନୀ ଏକାଠି ରହିବା ପାଇଁ ପ୍ରତ୍ୟାଖ୍ୟାନ କରିବା ସ୍ୱାଭାବିକ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାରୁ ପ୍ରକାଶ ଯେ ଆବେଦନକାରୀ ସ୍ୱାମୀ ଓ ପ୍ରତିପକ୍ଷ ପତ୍ନୀଙ୍କ ମଧ୍ୟରେ ଗତ ୨୦୨୧ରେ ବିବାହ ହୋଇଥିଲା। ତେବେ କିଛି ମାସ ଏକତ୍ର ରହିବା ପରେ ଉଭୟଙ୍କ ମଧ୍ୟରେ ମତଭେଦ ପାଇଁ ପତ୍ନୀ ଅଲଗା ରହିଥିଲେ। ଏପରିକି, ସିଆରପିସି ଧାରା ୧୨୫ ଅନୁସାରେ ଭରପୋଷଣ ଦାବି କରିଥିଲେ। ପତ୍ନୀଙ୍କ ଅଭିଯୋଗକୁ ସ୍ୱାମୀ ଅସ୍ୱୀକାର କରିଥିଲେ ବରଂ ପତ୍ନୀଙ୍କ ଚରିତ୍ର ଉପରେ ଆପତ୍ତି ଉଠାଇଥିଲେ। ପତ୍ନୀ ଅଲଗା ରହୁଥିବାରୁ ବାରିପଦା ପରିବାର ଅଦାଲତରେ ସ୍ୱାମୀଙ୍କଠାରୁ ମାସିକ ଭରଣପୋଷଣ ଅର୍ଥ ଦାବି କରି ମାମଲା କରିଥିଲେ। ଏହି ମାମଲାର ଶୁଣାଣି କରି ପରିବାର ଅଦାଲତ ଗତ ୨୦୨୩ ସେପ୍ଟେମ୍ବର ୨୭ରେ ମାସିକ ୩ ହଜାର ଟଙ୍କା ଭରଣପୋଷଣ ବାଦ ଅର୍ଥ ରାଶି ପଇଠ କରିବା ପାଇଁ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ସ୍ୱାମୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।