ଜିଲ୍ଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ 

 କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ରାଙ୍କି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖେଳପଡିଆରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ସମୂହର କ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦୁଝର ସମ୍ବନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସୌମ୍ୟସାର୍ଥକ ମିଶ୍ର ମୁଖ୍ୟଅତିଥି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାର ଆବଶ୍ୟକତା ଉପରେ କହିଥିଲେ । ସମ୍ମାନୀତଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର ମହାକୁଡ କେନ୍ଦୁଝର ଜିଲ୍ଲାର କ୍ରୀଡାବିତ୍ ରାଜ୍ୟ ଓ ଆନ୍ତର୍ଜାତୀୟସ୍ତରରେ ସୁନାମ ରହିଛି ବୋଲି କହିଥିଲେ । କେନ୍ଦୁଝର ମଣ୍ଡଳ ଶିକ୍ଷା ମଣ୍ଡଳାଧିଶ ସଂଚିତା ବେହେରା ଖେଳାଳୀମାନେ ଅଭ୍ୟାସ ଜାରୀ ରଖିଲେ ଖେଳକୁଦରେ ଜିଲ୍ଲାକୁ ଅଧିକ ଗୌରବାନ୍ୱିତ କରିପାରିବେ ବୋଲି ପ୍ରକାଶ କରିଥିଲେ । କେନ୍ଦୁଝର ଜିଲ୍ଲା ଶିକ୍ଷା ନୀରିକ୍ଷକ ସଞ୍ଜୟ କୁମାର ଧଳ ଛାତ୍ରଛାତ୍ରୀଙ୍କ ମାନସିକ ଏବଂ ଶାରିରୀକ ବିକାଶରେ କ୍ରୀଡ଼ା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର ଦେଓ ବର୍ତ୍ତମାନ ଅଭିଭାବକମାନେ ଶିକ୍ଷା ପ୍ରତି ଗୁରୁତ୍ୱ ଦେଉଥିବାବେଳେ ଖେଳ ପ୍ରତି ନଜର ଦେଉନାହାଁନ୍ତି । ଫଳରେ କୁନି କୁନି ଛାତ୍ରଛାତ୍ରୀ ଖେଳିବା ପାଇଁ ସମୟ ପାଉନାହାଁନ୍ତି । ପିତାମାତା ପିଲାମାନଙ୍କ ପାଠପଢା ସହ ଖେଳ ପ୍ରତି ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ କ୍ରୀଡା ଉତ୍ସବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟ୍ବଲ, ଖୋଖୋ, ୧୦୦ ମିଟର ଦୌଡ଼, ୨୦୦ମିଟର ଦୌଡ଼, ୪୦୦ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସର୍ଟଫୁଟ୍ ଥ୍ରୋ, ଡିସକସ୍ ଥ୍ରୋ, ଜାଭେଲିନ୍ ଥ୍ରୋ, ରିଲେ ରେସ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ କନିଷ୍ଠ ଏବଂ ବରିଷ୍ଠ ବର୍ଗ କରାଯାଇ ଏହି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ୫୨ ଆଶ୍ରମ ସ୍କୁଲ, ୩୧ ହାଇସ୍କୁଲ ଏବଂ ୫ଟି ହାଇସ୍କୁଲ ମୋଟ ୧୨୫୦ ପ୍ରତିଯୋଗୀ ଓ ୪୦ ଜଣ କ୍ରୀଡା ଶିକ୍ଷକ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ କାଦକଳା ହାଇସ୍କକୁଲ ପ୍ରଧାନଶିକ୍ଷକ ସୋମନାଥ ଆଇଚ, ରାଇଡିଆ ହାଇସ୍କୁଲ ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାୟକ, ଜଗମୋହନପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣାଞ୍ଜନ ଆଚାର୍ଯ୍ୟ, ଶୁଆକାଟୀ ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ବିକାଶ ଶତପଥି, ଭଗାମୁଣ୍ଡା ଆଶ୍ରମ ସ୍କୁଲ ପ୍ରଧାନଶିକ୍ଷକ ସରୋଜ କୁମାର ନନ୍ଦ, ଖଜୁରୀବାଣି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସାହୁ, ମାଟକାମବେଡା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିନୋଦ ତନ୍ତୀ ପ୍ରମୁଖ ସହଯୋଗ କରିଥିଲେ ।