ଲୋପ ପାଇବାକୁ ବସିଲେଣି ବାଈ ଚଢେଇ
କୋକସରା : ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର । ଏତେ ବଡ଼ ଜଗତରେ ଭଗବାନ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି । ସତେ ଯେମିତି ସମସ୍ତେ ସମସ୍ତଙ୍କ ପରିପୂରକ । ସେହିପରି ଭଗବାନ ବାଇ ଚଢେଇକୁ ମଧ୍ୟ ସୁନ୍ଦର ଭାବରେ ଗଢ଼ିଛନ୍ତି । ପ୍ରକୃତିର ସୃଷ୍ଟିରେ ପକ୍ଷୀ ବି ସାଜିପାରେ ଧୂରିଣ ଶିଳ୍ପୀ । ଆଉ ଇଂଜିନିୟର ପରି ତିଆରୀ କରିପାରେ ରହଣୀ ସ୍ଥାନ । କିଚିରି ମିଚିରିରେ ଗାଇପାରେ ଅଦ୍ଭୁତ ସଙ୍ଗିତ । ଗାଁ ଜୀବନ ସହ ଘନିଷ୍ଟ ଭାବେ ଜଡିତ ବାଇ ଚଢେଇ । ବନ୍ୟା ଆସୁକି ବର୍ଷା, ଇଶ୍ୱର ତାଙ୍କୁ ଏମିତି କଳା ଦେଇଛନ୍ତି ଯେ ବାଇ ଚଢେଇ ର ବସା ସେମିତି ଦୋହଲୁଥିବ । ନଡ଼ିଆ, ତାଳ ଓ ଖଜୁରୀ ଗଛ ଥିବ ଆଉ ବାଇ ଚଢେଇ ବସା ନଥିବ । ଏମିତି କଣ କେବେ ହୋଇପାରେ । ସମୟ ଚକ୍ରରେ ବହୁ ପରିବର୍ତ୍ତନ ହୋଇଛି ସତ, ବାଇ ଚଢେଇ ପ୍ରତି ଆଦର କିନ୍ତୁ ସେମିତି ରହିଛି । ପୂର୍ବ କାଳରେ ଏହି ବାଇ ଚଢେଇଙ୍କ କିଚିରି ମିଚିରି ଶୁଣି ଶୁଣି ବାଟୋଇଙ୍କ ବାଟ କଟିଯାଏ । ତେବେ କିଏ ଦେଖିଲେ ଇଶ୍ୱରଙ୍କ ସୃଷ୍ଟିକୁ ପ୍ରସଂଶା କରିବାକୁ ଇଚ୍ଛା ହୁଏ । ବର୍ଷା ଦିନର ମେ’ ମାସରୁ ସେପ୍ଟେମ୍ବର ମାସରେ ବସା ବାନ୍ଧିବା ସମୟ । ଏହି ସମୟରେ ବାଇ ଚଢେଇଙ୍କୁ ଅଧିକ ଦେଖୁବାକୁ ମିଳେ । ଗାଁର ନଡିଆ, ତାଳ ଓ ଖଜୁରୀ ଗଛରେ ବସା ବାନ୍ଧି ରହିଥାନ୍ତି । କୋକସରା ବ୍ଲକର ଅନେକ ଗାଁ ସାହଜଖୋଲ ସଂରକ୍ଷିତ ଜଙ୍ଗଲକୁ ଲାଗି ରହିଥିବାବେଳେ, ପୂର୍ବ କାଳରେ ଗାଁ ରେ ଅଧିକ ସଂଖ୍ୟକ ଗଛ ଥିବାବେଳେ, ଏହି ପକ୍ଷୀଙ୍କୁ ଅଧିକାଂଶ ଦେଖିବାକୁ ମିଳୁଥିଲା । ଏବେ କିନ୍ତୁ ସମୟ ବଦଳିଛି, ଜଙ୍ଗଳ ସବୁ ଧିରେ ଧିରେ କମିବାକୁ ବସିଲାଣୀ । ଗାଁ ଏବେ ସହର ମୁହାଁ ହେବାରେ ଲାଗିଛି । ଫଳରେ କଂକ୍ରିଟ ଜଙ୍ଗଳର ଗହଳି ଭିତରେ ଆଉ ସେତେ ନଡ଼ିଆ, ତାଳ ଓ ଖଜୁରୀ ଗଛ ମଧ୍ୟ ନାହିଁ । ଜନ ସଂଖ୍ୟା ବୃଦ୍ଧି ସହ ରୀତି ମତ ବଦଳୁ ଥିବାରୁ ପୃଥିବୀରେ ଆଜି ଅସ୍ତିତ୍ୱ ଖୋଜୁଛି ବାଇ ଚଢେଇ । ପ୍ରକୃତି ପ୍ରେମୀ ଓ ସାଧାରଣ ଲୋକ ଆଗେଇ ଆସିଲେ ପୁଣି ସବୁ ଆଡେ ଝୁଲନ୍ତା ବାଇ ଚଢେଇ ବସା ।