ଖାରଜ ହେଲା ଜଷ୍ଟିସ ବର୍ମାଙ୍କ ଆବେଦନ

ବାସଭବନରୁ ବସ୍ତା ବସ୍ତା ଟଙ୍କା ବାହାରିବା ଘଟଣାରେ ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଯାଂଚ ପ୍ରକ୍ରିୟା ବିରୋଧରେ ଜଷ୍ଟିସ ବର୍ମା କୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ । ଜଷ୍ଟିସ୍ ବର୍ମା ତାଙ୍କ ଆବେଦନରେ ମୁଖ୍ୟ ବିଚାରପତି ଦ୍ୱାରା ତାଙ୍କୁ ପଦରୁ ହଟାଇବାକୁ ଦିଆଯାଇଥିବା ନିର୍ଦ୍ଦେଶକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନ ଖାରଜ କରିବା ବେଳେ କହିଛନ୍ତି କି, ଯାଂଚ କମିଟି ସ୍ଥିର ହୋଇଥିବା ପ୍ରକ୍ରିୟା ଆଧାରରେ କାର୍ଯ୍ୟ କରୁଛି ।
ବିଚାରପତି ଜଷ୍ଟିସ ଦିପଙ୍କର ଦତ୍ତା ଓ ଜଷ୍ଟିସ ଏଜି ମସିହଙ୍କ ପୀଠ କହିଛନ୍ତି, ଜଷ୍ଟିସ ବର୍ମାଙ୍କ ଆଚରଣ ବିଶ୍ୱାସଯୋଗ୍ୟ ନୁହେଁ ତେଣୁ ତାଙ୍କ ଆବେଦନ ଉପରେ ବିଚାର କରାଯାଇପାରିବ ନାହିଁ । ଏହାସହ ପୂର୍ବତନ ମୁଖ୍ୟବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଯେଉଁ ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିଲେ ତାହା ଅସାମ୍ବିଧାନିକ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି । ସୂଚନା ଥାଉ କି, ଜଷ୍ଟିସ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ମାର୍ଚ୍ଚ ୧୪ ତାରିଖରେ ନିଆଁ ଲାଗିଯାଇଥିଲା । ନିଆଁ ଲିଭାଇବାକୁ ଦମକଳ ପହଂଚିବା ପରେ ଦେଖିବାକୁ ପାଇଥିଲେ କି ସେହି ଘର ଭିତରେ ବସ୍ତା ବସ୍ତା ଟଙ୍କା ଅଧାପୋଡ଼ା ଅବସ୍ଥାରେ ରହିଛି ।