ପ୍ରାକୃତିକ ବିପର୍ଯ୍ୟୟ ଓ ମିଥ୍ୟା ଗୁଜବ

ବାତ୍ୟା ଦାନା ତାଣ୍ଡବ ଖେଳାଇବା ପାଇଁ ଯାଉଛି । ଅଣଚାଷ ପବନ ସାଙ୍ଗକୁ ଭୀଷଣ ବର୍ଷା ନେଇ ଏହି ବାତ୍ୟା ସିଭିୟର ସାଇକ୍ଲୋନିକ ଷ୍ଟ୍ରମ୍ ରୂପ ନେବାକୁ ଯାଉଛି । ତେବେ ଏ ସବୁ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲଗାମ ଛଡ଼ା ହେଉଛି ଦରଦାମର ଭାଉ । ପ୍ରାକୃତିକ ବିପର୍ଯ୍ୟୟ ଭଳି ଜରୁରୀକାଳୀନ ସ୍ଥିତି ହେଉ କି ପର୍ବପର୍ବାଣି ହଠାତ ହୁହୁ ହୋଇ ବଢ଼ିଯାଉଛି ବିଭିନ୍ନ ଖାଦ୍ୟ ସାମଗ୍ରୀ ଦର । ବଜାରରେ ମାଲ ନାହିଁ ଭଳି ନାନା ଭୁଲ ତଥ୍ୟ ଦେଇ କିଛି ଅସାଧୁ ବେପାରୀ ମନଇଛା ଦର ଭିଡ଼ୁଛନ୍ତି । ଯେଉଁ ସାମଗ୍ରୀର ଦର ଗୋଟେ ଦିନ ପୂର୍ବରୁ ୫୦ଟଙ୍କା ଥିଲା ତାର ମୂଲ୍ୟ ୧୨ ଘଣ୍ଟା ଭିତରେ ଶହେ ଟଙ୍କା ଛୁଇଁଯାଉଛି ।
 ହେଲେ କଳାବଜାର ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନାହିଁ ।  କିନ୍ତୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ବେଳକୁ ଲୋକେ ଶୋଷଣ ହୋଇ ସାରିଥାନ୍ତି । ଏ ସଂପର୍କରେ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏସେନସିଆଲ ଲାଇସେନ୍ସ କମୋଡିଟି ଆଇନ ରହିଥିଲା । ଏହି ଆଇନ ବଳରେ କୌଣସି ତେଜରାତି ଦୋକାନୀ ବା ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ କରୁଥିବା ବେପାରୀ ଜିଲ୍ଲା ଯୋଗାଣ ବିଭାଗ ଠାରୁ ଲାଇସେନ୍ସ ନେଉଥିଲେ । ସେମାନଙ୍କୁ ଲାଇସେନ୍ସ ଦିଆଯିବା ସମୟରେ ଅନେକ ସର୍ତ୍ତ ଲାଗୁ କରାଯାଇଥାଏ । ନିୟମର ଉଲ୍ଲଂଘନ କରୁଥିବା ବେପାରୀଙ୍କ ଲାଇସେନ୍ସ ବାତିଲ କରିବା ଓ ଦୋକାନ ସିଜ କରିବା କ୍ଷମତା ଜିଲ୍ଲା ଯୋଗାଣ ବିଭାଗ ହାତରେ ରହୁଥିଲା । କିନ୍ତୁ ସରକାର କିଛି ବର୍ଷ ତଳୁ ଯୋଗାଣ ବିଭାଗ ହାତରୁ ଲାଇସେନ୍ସ କ୍ଷମତା ନେଇଯାଇଛନ୍ତି । ବିଭିନ୍ନ ଶିଳ୍ପାଞ୍ଚଳରେ କାମ ପ୍ରଭାବିତ ହେବା ସହ ପାଚିଲା ଓ ଅଧାପାଚିଲା ଧାନ ବର୍ଷା ପବନ ମାଡ଼ରେ ଉଜୁଡ଼ି ଯିବ । ବିଜୁଳି, ଟେଲିଫୋନ, ଜଳଯୋଗାଣ ଓ ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହେବା ସହିତ ଗଛ ଓ କଚ୍ଚା ଘରମାନ ଭାଙ୍ଗିବ । ପ୍ରବଳ ବର୍ଷା ଯୋଗୁଁ କେତେକ ସ୍ଥାନରେ ଅଚାନକ ବନ୍ୟା ମଧ୍ୟ ଆସିପାରେ । ଏହା ଅବଶ୍ୟ ସତ୍ୟ ଯେ ବାତ୍ୟା ପ୍ରବଣ ଅଞ୍ଚଳରେ ସବୁ ସତର୍କତା ସତ୍ତ୍ୱେ ଲୋକେ ମରନ୍ତି । ଫସଲ, ଘରଦ୍ୱାର ନଷ୍ଟ ହୁଏ । 
    ଲୋକେ ଛାନିଆରେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ କିଣିବାରୁ ବଜାରରେ ପନିପରିବା ଆଦିର ମୂଲ୍ୟ ଆକାଶଛୁଅାଁ ହେବା ସହିତ ହାଣ୍ଡିଶାଳରେ ଝଡ଼ ସୃଷ୍ଟି ହୋଇଛି । ଅସାଧୁ ବ୍ୟବସାୟୀ ମଧ୍ୟ ଏହାର ସୁଯୋଗ ନେଇଛନ୍ତି । ତେଣୁ ଛାନିଆ ନ ହୋଇ ବିଚାରବୁଦ୍ଧି ଖଟାଇ ପରିସ୍ଥିତିର ମୁକାବିଲା କରିବା ଉଚିତ । ଓଡ଼ିଶା ପାଇଁ ବାତ୍ୟା ନୂଆ ନୁହେଁ । ଏହା ଆମ ଜୀବନଯାତ୍ରାର ଆଉ ଏକ ଘଟଣାମାତ୍ର । ତେଣୁ କୌଣସି ଗୁଜବକୁ ବିଶ୍ୱାସ ନକରି ବରଂ ଯଥା ସମ୍ଭବ ସଚେତନତାର ଦାୟିତ୍ୱ ନିର୍ବାହ କରି ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ନିଶ୍ଚିନ୍ତ ଭାବେ ଏକ ଶ୍ରେଷ୍ଠ ମାନବିକତା ।
ନାରାୟଣ ଚନ୍ଦ୍ର ବିଶ୍ୱାଳ
କଟିକଟା, ମଙ୍ଗଳପୁର, ଯାଜପୁର