ହୋମୋଫିଲିଆ ରୋଗରେ ଆକ୍ରାନ୍ତ ନାବାଳକ:  ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସାଲେପୁର : ଜନ୍ମରୁ ହେମୋଫିଲିଆ ରୋଗରେ ଆକ୍ରାନ୍ତ ହୋଇ ରୋଗାଗ୍ରସ୍ତ ଅବସ୍ଥାରେ ପଡିରହିଥିବା ନାବାଳକର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏହି ଚିତ୍ର ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍ ଉତ୍ତର ବଟେଶ୍ୱର ଗ୍ରାମରେ । ଉତ୍ତର ବଟେଶ୍ୱର ଗ୍ରାମର ଦୀନବନ୍ଧୁ ବେହେରା ଓ ସୁମିତ୍ରା ବେହେରାଙ୍କ ଦୁଇ ପୁଅ ଜନ୍ମରୁ ହୋମୋଫିଲିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଆସୁଛନ୍ତି । ବର୍ତ୍ତମାନ ଏହି ରୋଗର ଚିକିତ୍ସା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଥିବାବେଳେ ପିତା ଦୀନବନ୍ଧୁ ଅଟୋ ଚଳାଇ ବହୁ କଷ୍ଟରେ ନିଜର ପରିବାର ପ୍ରତିପୋଷଣ କରିବା ସହ ଉଭୟ ପୁତ୍ରଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିଥାନ୍ତି । କିନ୍ତୁ ଏହି ଚିକିତ୍ସା ଅତି ବ୍ୟୟବହୁଳ ଥିବାରୁ ଅର୍ଥର ଘୋର ଅଭାବ ହେତୁ ଉଭୟ ପିଲାଙ୍କୁ ଉପଯୁକ୍ତ ଚିକିତ୍ସା ଦେଇପାରୁନାହାଁନ୍ତି । ବଡ଼ ପୁଅ ଏବେ ସାମାନ୍ୟ ସୁସ୍ଥ ଥିବାବେଳେ ଏହି କିଛି ଦିନ ହେବ ତାଙ୍କର ସାନପୁଅ ଅଭିଜିତ୍ ବେହେରା ଯେକି ସାଲେପୁର କଲେଜରେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି  । ସେ ଏବେ ଏହି ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି ।  ଏହି ରୋଗର ମୁଖ୍ୟ ଲକ୍ଷଣ ହେଉଛି ଶରୀରରେ ଯଦି କୌଣସି କାରଣରୁ ସାମାନ୍ୟ ଆଘାତ ହୋଇ ରକ୍ତ ବାହାରେ, ତେବେ ରକ୍ତ ବନ୍ଦ ହୁଏ ନାହିଁ ।  ସେହିପରି ଶରୀରର କୌଣସି ସ୍ଥାନରେ ମାଡ଼ ହେଲେ ଶରୀରର ଭିତର ଅଂଶରେ ରକ୍ତସ୍ରାବ ହୋଇଥାଏ । ଏହି ରୋଗରେ ରୋଗୀ ବହୁ କଷ୍ଟ ଅନୁଭବ କରିଥାଏ । ଏହି ରୋଗ ସାମାନ୍ୟତ ବହୁ କମ୍ ଲୋକଙ୍କୁ ହୋଇଥିବାର ଦେଖାଯାଇଥିାଏ । ଏହି ରୋଗର ଚିକିତ୍ସା ପାଇଁ ଆଣ୍ଟି ଇନ୍ହାଇବିଟର ଇଂଜେକ୍ସନ୍ ଓ ଔଷଧର ଆବଶ୍ୟକତା ରହିଛି । ଯାହାର ମୂଲ୍ୟ ୯୮ହଜାର ଟଙ୍କାରୁ ଊଦ୍ଧ୍ୱର୍ ହୋଇଥିବାବେଳେ ଜଣେ ରୋଗୀକୁ ୫ଟି ଇଂଜେକ୍ସନ୍ ଦେଲେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବ ବୋଲି ଡାକ୍ତର ପରାମର୍ଶ କରିଥିବା ତାଙ୍କର ପିତା ପ୍ରକାଶ କରିଛନ୍ତି । କିନ୍ତୁ ବର୍ତ୍ତମାନ ଆବଶ୍ୟକୀୟ ଅର୍ଥ ପିତା ଦୀନବନ୍ଧୁଙ୍କ ପାଖରେ ନ ଥିବାରୁ ସାନ ପୁଅ ଉପଯୁକ୍ତ ଚିକିତ୍ସା ହୋଇନପାରି ରୋଗ ଶଯ୍ୟାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି । ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତାର ହାତ ବଢ଼ାନ୍ତି, ତେବେ ସେ ତାଙ୍କର ଉଭୟ ପୁଅକୁ ସୁସ୍ଥ କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି । ଯଦି କୌଣସି ସଦୟ ବ୍ୟକ୍ତି ତାଙ୍କୁ ସହାୟତା କରିବାକୁ ଚାହାଁନ୍ତି ତେବେ ତାଙ୍କ ମୋବାଇଲ୍ ନଂ-୯୫୫୬୭୭ ୬୭୬୯ରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ।