ଲୋକ ସଂସ୍କୃତିର ସ୍ୱାକ୍ଷର ଦଣ୍ଡଯାତ୍ରା 

ଲୋକ ସଂସ୍କୃତିର ସ୍ୱାକ୍ଷର ଦଣ୍ଡଯାତ୍ରା 


ବୌଦ୍ଧ: ପ୍ରାଚୀନ ଲୋକ ସଂସ୍କୃତିର ସ୍ୱାକ୍ଷର ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରା । ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରାର ଏକ ସ୍ୱତନ୍ତ୍ରତା ବଜାଇ ରଖିଛି । ଏହି ଦଣ୍ଡଯାତ୍ରା ବୌଦ୍ଧଜିଲ୍ଲାରେ କେଉଁ ଆବାହନ କାଳରୁ ଆରମ୍ଭ ହୋଇଛି କହିବା କଷ୍ଟ କର । ଏହି ଦଣ୍ଡଯାତ୍ରା ଚୈତ୍ରମାସରେ ହୋଇଥାଏ । ଏହି ଦଣ୍ଡଯାତ୍ରାରେ ଶିବ ଓ ଶକ୍ତିଙ୍କ ଆରାଧନା ଓ ପ୍ରଭୂକୃପା ଲାଭ କରିବା । ବୌଦ୍ଧଜିଲ୍ଲାରେ ମହା ବିଷୁବ ସଂକ୍ରାନ୍ତି ବା ପାଣା ସଂକ୍ରାନ୍ତିର ୨୧ ଦିନ, ୧୬ ଦିନ ଓ ୧୩ ଦିନ ପୂର୍ବରୁ ଯାତ୍ରା ଆରମ୍ଭ ହୋଇଥାଏ । ଯାତ୍ରା ଆରମ୍ଭ ଦିନ ସମାଜର ବ୍ରାହ୍ମଣ ଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକ ହୋଇ ଶିବ ଶାକ୍ତ ପୀଠରୁ ଅତ୍ୟନ୍ତ କାଷ୍ଠାରେ ରହି ବ୍ରତ  ଧାରଣ କରି ଗୋଟିଏ ପରିବାରର ସଦସ୍ୟ ଭଳି ଏକାକାର ହୋଇଯାନ୍ତି । ଅତ୍ୟନ୍ତ ନିଷ୍ଠା ଓ କାଷ୍ଠାର ସହ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ  ଶିବ ଶିବାଙ୍କୁ ଆରାଧନା କରିଥାନ୍ତି । ଏହି ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ପ୍ରଚଣ୍ଡ ଖରା ଓ ଝାଂଜି ପବନରେ ଛତର, ବାନା, ବୈରଖ ଧରି ଗ୍ରାମକୁ ଗ୍ରାମ ବୁଲିବା ସହ ମନ୍ଦିର ବେଢା କିମ୍ବା ଗଛମୂଳେ ଯେଉଁଠି ସ୍ଥାନ ମିଳିଲା ସେଠାରେ ରହି ଦିନସାରା କେବଳ ପଣାପାଣି ଗ୍ରହଣ କରିଥାନ୍ତି ଏବଂ ରାତି୍ରରେ ଅନ୍ନଭୋଗ ଗ୍ରହଣ କରିଥାନ୍ତି । ଯେଉଁ ଶ୍ରଦ୍ଧାଳୁ ଭକ୍ତ କିମ୍ବା ଗ୍ରାମବାସୀ ଶିବଶିବାଙ୍କ ପୂଜା କରିବାକୁ ଚାହିଁଥାନ୍ତି ଦଣ୍ଡୁଆମାନେ ବାଜା ବଜାଇ ଠାକୁରଙ୍କୁ ଧରି ସକାଳ ସମୟରେ ଯାଉଥିବା ବେଳେ ସେମାନଙ୍କ ଆଗରେ ପୂର୍ଣ୍ଣକୁମ୍ଭ ଥୋଇ କିମ୍ବା ପାଣି ଧାର ପକାଇ ପୁଜା କରିଥାନ୍ତି । ସେହିଦିନ ଠାକୁର ସେଠାରେ ପୂଜା ପାଇଥାନ୍ତି । ସକାଳ ପୂଜା ସରିବା ପରେ ଅପରାହ୍ନରେ ପ୍ରଚଣ୍ଡ ଖରାରେ ଧୂଳିଦଣ୍ଡ କରାଯାଇଥାଏ । ଡହ ଡହ ଖରାରେ ଗ୍ରାମଦାଣ୍ଡରେ କୃଷି ସଂପର୍କିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଧର୍ମଭାବନା ଜାଗ୍ରତ କରିବା ସହ ନିଜର ଏକାଗ୍ରତା ଭାବକୁ ମଧ୍ୟ ସିଦ୍ଧି କରିଥାନ୍ତି । ଧୂଳିଦଣ୍ଡ ମୁଖ୍ୟତଃ ସାମାଜିକ ନିଛକ ଗ୍ରାମୀଣ ଚଲଣି, କୃଷି ଭିତିକ ଓ ହାସ୍ୟ ବା ମନରଂଜନ ଧର୍ମୀ ଉପରେ ଆଧାରିତ ହୋଇଥାଏ । ସନ୍ଧ୍ୟାରେ ନଦୀ ହେଉ ବା ପୋଖରୀ କୂଳରେ ଦିଅଁଙ୍କୁ ପୂଜା କରାଯାଇଥାଏ । ଏହାକୁ ପାଣିଦଣ୍ଡ ବୋଲି କୁହାଯାଏ । ଠିକ ମଧ୍ୟରାତ୍ରୀରେ ଦଣ୍ଡୁଆମାନେ ଏକତି୍ରତ ହୋଇ ଗୀତନାଚ କରି ଗ୍ରାମ ମଧ୍ୟକୁ ପ୍ରବେଶ କରିଥାନ୍ତି । ନିଶାରାତି୍ରରେ ଦେବୀ ମହାକାଳୀଙ୍କୁ ପୂଜାଅର୍ଚ୍ଚନା କରିବା ପରେ ସୁଆଙ୍ଗ ପରିବେଷଣ କରାଯାଇଥାଏ । ବୌଦ୍ଧଜିଲ୍ଲାରେ ଆଜିବି ଷୋଳ ସୁଆଙ୍ଗ କରାଯାଇଥାଏ । ଝୁଣାଖେଳ, ଘାସି ଘାସିଆଣି,ପରଭା, ଶିବ ପାର୍ବତୀ, ଯୋଗୀଯୋଗୀଆଣି, ଚଢେୟା ଚଢେୟାଣି, କେଳା କେଳୁଣି,ସାପୁଆ, ବାଇଧନ, ଶବର ଶବରାଣୀ, ପତର ସଉରା, ବୀଣାକାର ଆଦି ମୁଖ୍ୟ । ଏହା ବ୍ୟତୀତ ହାସ୍ୟରସାତ୍ମକ ସୁଆଙ୍ଗ ଦିଅର ଭାଉଜ, ଶାଳୀ ଭେଣେଇ,ଅଜାନାତୁଣୀ ଆଦି ସ୍ଥାନ ବିଶେଷରେ ପରିବେଷଣ କରାଯାଇଥାଏ ।