ରେଳ ଧାରଣା ଦୋହରୀକରଣରେ ଲାଗୁଛି ଶିଳ୍ପାଞ୍ଚଳରୁ ଲୁଟ୍ ମୋରମ!

ରେଳ ଧାରଣା ଦୋହରୀକରଣରେ ଲାଗୁଛି ଶିଳ୍ପାଞ୍ଚଳରୁ ଲୁଟ୍ ମୋରମ!


 ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳରୁ ଦିନଦିନ ଧରି ରାତି ଅଧିଆ ଚାଲିଛି ମୋରମ ଲୁଟ୍ । ଲୁଟ ମୋରମ ରେଳ ଧାରଣା ଦୋହରୀକରଣରେ ଲାଗୁଥିବାର ଅଭିଯୋଗ ହେବାରେ ଲାଗିଛି । ରେଳଧାରଣାକୁ ଯେଉଁ ଗାଁ ଦେଇ ହାଇୱା ଯୋଗେ ମୋରମ ପରିବହନ ହେଉଛି, ସେହି ରାସ୍ତା ଗୁଡ଼ିକ ନଷ୍ଟ ହେଉଛି ବୋଲି ମଧ୍ୟ ଅଭିଯୋଗ ହେଉଛି । ଶିଳ୍ପାଞ୍ଚଳରୁ ମୋରମ ଲୁଟ ହୋଇ ରେଳଧାରଣା ଦୋହରୀକରଣରେ ଲାଗୁଥିଲେ ନାଁ ଖଣି ବିଭାଗର ପାଦ ପଡ଼ୁଛି ନାଁ ତହସିଲ ପ୍ରଶାସନ ଲଗାମ ଲଗାଉଛି । ଲୁଟେରା ଗ୍ୟାଙ୍ଗ ପ୍ରଭାବଶାଳୀ ହୋଇଥିବା ଏବଂ ତହସିଲରୁ ଖଣି ବିଭାଗକୁ ହାତ କରି ରଖିଥିବାରୁ ମୋରମ ଲୁଟକୁ ନିତିଦିନିଆ କରିଦେଲେଣି । ତହସିଲ୍ ପ୍ରଶାସନ ଅଧୀନରୁ ଯେବେଠୁ ଲଘୁ ଖଣିଜ ବିଭାଗକୁ କାଢି ନିଆଗଲାଣି ସେବେଠୁ ଦାନଗଦୀ ତହସିଲ୍ ଅଧୀନରେ ଆସୁଥିବା ଅନେକ ସ୍ଥାନରୁ ଶହଶହ ଟ୍ରିପ ମୋରମ ଲୁଟ ହେଉଛି । ଅତଏବ ଦାନଗଦୀ ତହସିଲ୍ ଅଞ୍ଚଳରେ ମୋରମ ମାଫିଆ ମାନେ ସକ୍ରିୟ ହୋଇଉଠିଛନ୍ତି । ଖବର ମୁତାବକ ଭଦ୍ରକ ଠାରୁ ହରିଦାସପୁର ପର୍ଯ୍ୟନ୍ତ ତୃତୀୟ ରେଳ ଧାରଣାର ଦୋହରୀକରଣ ହେଉଛି । ଯାହା ପାଇଁ ଶହଶହ ଟ୍ରିପର ମୋରମ ଆବଶ୍ୟକତା ଅଛି । ମାତ୍ର ଦାନଗଦୀ ତହସିଲ୍ ଅଧୀନରେ ଥିବା ସରକାରୀ ଜମିରୁ ମୋରମ ଉଠାଇବାର ଅନୁମତି ନଥିବା ବେଳେ  ଦେଖିବାକୁ ମିଳିଛି ରେଳଧାରଣା ଦୋହରୀକରଣରେ ହଜାର ହଜାର ଟ୍ରିପ ମୋରମ ପଡିଛି । ପ୍ରଶ୍ନ ଉଠିଛି କି ଏତେ ପରିମାଣର ମୋରମ ଆସୁଛି କେଉଁଠୁ । ଏତେ ପରିମାଣରେ ମୋରମ  ସରକାରୀ ସ୍ତରରେ କେଉଁ ସଇରାତକୁ ଅନୁମତି ଦିଆଯାଇଛି । ଯଦି ସରକାରୀ ଅନୁମତି ମିଳିଛି ତେବେ ଲୁଚା ଛପାରେ ଚାଲାଣ ହେଉଛି କାହିଁକି? ଯଖପୁରା ଗ୍ରାମର ଆଲିଆ ଦାଣ୍ଡି ଦେଇ ମୋରମ ସବୁ ଚାଲାଣ ହେଉଛି । ମୋରମ ସବୁ ବାଳୁଙ୍ଗାବନ୍ଦୀ ନିକଟସ୍ଥ ବଗେଈ ମହାଦେବ ପାଖଦେଇ ଯାଇଥିବା ରେଳଧାରଣା ନିକଟରେ ପଡୁଛି । ଏମିତି କି ଏବେ ଏବେ ସଦ୍ୟ ଦୁଇ ତିନି ଦିନ ଧରି ପ୍ରଚୁର ପରିମାଣର ମୋରମ ଚୋରା ଚାଲାଣ ହେଉଛି । ମୋରମ ଚାଲାଣରେ ସ୍ଥାନୀୟ ଯଖପୁରା ଗ୍ରାମର ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କର ହାତ ରହିଥିବାର ଅଭିଯୋଗ ହେଉଛି । ଆଗକୁ ଆହୁରି ହଜାର ହଜାର ଟ୍ରିପ ମୋରମ ଆବଶ୍ୟକତା ରହିଥିବାରୁ ତାହା ମଧ୍ୟ ଲୁଟ୍ ହେବ ବୋଲି ସାଧାରଣରେ କୁହାଯାଉଛି । ମୋରମ ଲୁଟି ଲୁଟେରା ଲକ୍ଷଲକ୍ଷ ଟଙ୍କା ପାଉଥିବା ବେଳେ ସରକାର ରାଜସ୍ୱ ହରାଉଛନ୍ତି । ଜଣାପଡିଛି କି ଲୁଟେରା କଳିଙ୍ଗନଗର ଶିଳ୍ପାଞ୍ଚଳର ଗୋଟେ ଦୁଇଟି ନିର୍ଦ୍ଧିଷ୍ଟ କାରଖାନା ମଧ୍ୟରୁ ମୋରମ ଲୁଟ କରୁଛନ୍ତି । ନିର୍ଦ୍ଧିଷ୍ଟ କାରଖାନାର ଯେହେତୁ ନିର୍ମାଣ କାର୍ଯ୍ୟ ଚାଲୁଛି ତେବେ କିଛି ଲୁଟେରା କାରଖାନାର ଅଧିକାରୀଙ୍କୁ ହାତ କରି କାରଖାନା ମଧ୍ୟରୁ ମୋରମ ଆଣିବାରେ ସକ୍ଷମ ହୋଇଛନ୍ତି । କାରଖାନା ମଧ୍ୟରୁ ମଧ୍ୟରାତ୍ରରୁ ମୋରମ ଲୁଚେଇ ଛପେଇ ଲୁଟ କରି ସିଧାସଳଖ ରେଳଧାରଣା କଡ଼ରେ ଢାଳୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଯଖପୁରା ପୁଲିସ ହେଉ କି ଦାନଗଦୀ ତହସିଲ୍ କି ଲଘୁ ଖଣିଜ ବିଭାଗ ନିରବତା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମୋରମ ବୋଝେଇ ହାଇୱା ଯୋଗୁ ଆଳିଆ ଦାଣ୍ଡିରେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ରାସ୍ତା ଭାଙ୍ଗି ରୁଜି ଚୁର ମାର ହୋଇଯାଇଛି । ଆଗାମୀ ଦିନରେ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।