ନୂଆବର୍ଷ ପାଇଁ ଲୋକାରଣ୍ୟ ହେଲା କୋଣାର୍କ 

 କୋଣାର୍କ: କୋଣାର୍କରେ ନବବର୍ଷ ଅବସରରେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମି ଓ ପ୍ରାଚୀନ ଶକ୍ତି ପୀଠ ରାମଚଣ୍ଡୀ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ନିଜସ୍ୱ ପାର୍କିଂ ସ୍ଥାନ ନ ଥିଲା ବେଳେ, ବେଆଇନ ଭାବେ ଚାରି ଚକିଆ ଓ ଦୁଇ ଚକିଆ ଯାନ ରହଣି ନିମନ୍ତେ ପାର୍କିଂ ନିଲାମ କରିବା ଦ୍ୱାରା ଜାତୀୟ ରାଜପଥ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ରଖିବା ଯୋଗୁଁ ନୂଆବର୍ଷ ଅବସରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଛି । ସେହିପରି ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ପର୍ଯ୍ୟଟକମାନେ ଗାଡି ରଖିବା ଯୋଗୁଁ ଗୁରୁତର ଭାବେ ଟ୍ରାଫିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି । କୋଣାର୍କ ଥାନା, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା, ଟୁରିଷ୍ଟ ଥାନା ଓ ରାମଚଣ୍ଡୀ ଥାନା ପୋଲିସ ଥାନାରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ କୌଣସି ସ୍ୱତନ୍ତ୍ର ଟ୍ରାଫିକ ପୋଲିସ ନିୟୋଜିତ ହୋଇ ନ ଥିବା ବେଳେ, ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ବିଫଳ ହୋଇଛି । ପୋଲିସ ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ କରିବାରେ ଫେଲ ମାରିଥିବା ବେଳେ ଟ୍ରାଫିକ ସମସ୍ୟା ଯୋଗୁଁ ପର୍ଯ୍ୟଟକ ମାନଙ୍କ ଗାଡି ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ଯାଉଥିବା ବେଳେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ନୁଆବର୍ଷ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ପର୍ଯ୍ୟଟକ ମାନଙ୍କ ଭିଡ ପରିଲକ୍ଷିତ ହୋଇଛି । ସେହିପରି ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଓ ଶକ୍ତିପୀଠ ରାମଚଣ୍ଡୀ ପୀଠରେ ପର୍ଯ୍ୟଟକ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା ବେଳେ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବଣଭୋଜିର ଆସର ଦେଖିବାକୁ ମିଳିଛି । ଏହି ଅବସରରେ ମା ରାମଚଣ୍ଡୀଙ୍କ ପୀଠରେ ପର୍ଯ୍ୟଟକ ମା ଙ୍କ ପୂଜାର୍ଚ୍ଚନା କରିବା ସହିତ ରାମଚଣ୍ଡୀ ମୁହାଁଣରେ ବୋଟିଂ ର ମଜା ନେଇଥିଲେ । କୋଣାର୍କ ଠାରେ ବାଇପାସ ରାସ୍ତା ଓ ସ୍ଥାୟୀ ପାର୍କିଂ ବ୍ୟବସ୍ଥା ନ ଥିବାରୁ ନୂଆବର୍ଷ ଅବସରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ ପ୍ରଥମେ ନିଜସ୍ୱ ପାର୍କିଂ ନିର୍ମାଣ କରିବା ପରେ ପାର୍କିଂ ଟେଣ୍ଡର ଆହ୍ୱାନ କଲେ ପର୍ଯ୍ୟଟନ ସ୍ଥଳୀରେ ଅଯଥା ମାନବକୃତ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ, ପର୍ଯ୍ୟଟକ ପ୍ରେମୀ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏହି ଘଟଣାକୁ ଗୁରୁତ୍ୱ ଆରୋପ କରି ପୁରୀ ଜିଲ୍ଲାପାଳ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।