ରାସ୍ତା କଡ଼ରେ ଗଲା ଜଣଙ୍କ ଜୀବନ 

 ନୀଳଗିରି: ଜନ୍ମ ହେଲେ ମୃତୁ୍ୟ ସତ୍ୟ । ଏକଥା ସମସ୍ତେ ଜାଣନ୍ତି । ତେବେ ବେଳେବେଳେ ଏମିତି ମୃତୁ୍ୟ ବି ହୁଏ । ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ସେମିତି ଏକ ମୃତୁ୍ୟହୋଇଛି ନୀଳଗିରି ଅଞ୍ଚଳର ଜଗତଜ୍ୟୋତିଙ୍କ । ନୀଳଗିରି ଥାନା ଅନ୍ତର୍ଗତ ଗୋପିନାଥପୁର ଶାସନର ଜୟନ୍ତ ଆଚାର୍ଯ୍ୟଙ୍କ ପୁଅ ଜଗତଜ୍ୟୋତି (୩୬) । ଲେବୋରିଟରି ଆସିଷ୍ଟାଣ୍ଟ (ଟେକ୍ନିସିଆନ) ଭାବେ କାର୍ଯ୍ୟରତ ଥିଲେ । କିଛି ଦିନ ପୂର୍ବରୁ ତାଙ୍କ ଦେହ ଅତ୍ୟଧିକ ଅସୁସ୍ଥ ହେବାରୁ ତାଙ୍କୁ ଏମସ୍ ଭୁବନେଶ୍ୱରକୁ ନିଆଯାଇଥିଲା । ସେଠାରୁ ସୁସ୍ଥ ହୋଇ ଫେରିଥିଲେ । କିନ୍ତୁ ତାଙ୍କର ଲିଭର ସିରୋସିସ ରୋଗ ହେବା ସହିତ କିଡନୀ ଖରାପ ହୋଇଥିବା ଜଣା ପଡ଼ିଥିଲା । ସେଠାରୁ ଫେରି ଘରେ ରହିବା ସହିତ ଆଠଦିନକୁ ଥରେ କଟକ ଯାଇ ପେଟରେ ଜମୁଥିବା ପାଣି ବାହାର କରି ଆସୁଥିଲେ । ସବୁବେଳେ ସାଙ୍ଗରେ ଘର ଲୋକ ଯାଉଥିଲେ । କିନ୍ତୁ ଦୁଃଖର କଥା ଏକୁଟିଆ ଶେରଗଡ଼ ଯାଇ ସେଠାରୁ କଟକ ଯାଉଥିଲେ । ବସରେ ଯାଉଥିବା ବେଳେ ୧୬ ନମ୍ୱର୍ ଜାତୀୟ ରାଜପଥର ପାଣିକୋଇଲି ଓଭର ବ୍ରିଜ ଉପରେ ବାନ୍ତି ହୋଇଥିଲା । ଅତ୍ୟନ୍ତ ଦୁର୍ବଳ ଅନୁଭବ କରି ସେ ବସ କଣ୍ଡକ୍ଟରକୁ ସେଠାରେ ଓହ୍ଲାଇ ଦେବାକୁ ଅନୁରୋଧ କରିବାରୁ ତାଙ୍କୁ ଓଭର ବ୍ରିଜ ଶେଷ ମୁଣ୍ଡ  ରାସ୍ତା କଡ଼ରେ ଓଲ୍ଲାଇ ଦେଇ ବସ ବାଲା ସେଠାରୁ ଚାଲି ଯାଇଥିଲେ । ସେଇ ରାସ୍ତା କଡ଼ରେ ଯୁବକ ଜଗତଜ୍ୟୋତିର ଜୀବନ ଚାଲି ଯାଇଥିବା କୁହାଯାଉଛି । ସ୍ଥାନୀୟ ପଥଚାରୀ ଜଣେ ଯୁବକ ଏଭଳି ଶୋଇଥିବା ଦେଖି ପୁଲିସକୁ ଖବର ଦେବା ପରେ, ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହସପିଟାଲ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।