ବିଜେପି ଯିବେ କି ବିଜୟ ?

Bijoy Patanaik, BJP

ବିଜେପି ଯିବେ କି ବିଜୟ ?

କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଦଳ ଛାଡ଼ିଛନ୍ତି  । ଦଳରେ ଗୁରୁତ୍ୱ ମିଳୁନଥିବାରୁ ବିଜୟ ଦଳକୁ ବାଏବାଏ କରିଛନ୍ତି  । ଏନେଇ ସେ ଏଆଇସିସିକୁ ଇସ୍ତଫା ପତ୍ର ପଠାଇଛନ୍ତି  । ଦଳରୁ ଇସ୍ତଫା ଦେବା ପରେ ବିଜୟ କହିଛନ୍ତିଯେ, ମୁଁ ଲୋକଙ୍କ ସେବା କରିବି  । ଲୋକଙ୍କ ପାଖକୁ ଯିବି  । ବିଜୟଙ୍କ ଏହି କଥାକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ଅନୁମେୟଯେ, ସେ ରାଜନୀତିରେ ହିଁ ରହିବେ  । ସକ୍ରିୟ ରାଜନୀତିରୁ ସେ ଅବସର ନେଇନାହାନ୍ତି  । ତେଣୁ ଆଗାମୀ ଦିନରେ ସେ ନିଜର ସଂଗଠନକୁ ମଜବୁତ କରିବା ପାଇଁ ପ୍ରୟାସ କରିବେ  । ଏଭଳି ସ୍ଥିତିରେ ସେ କଂଗ୍ରେସ ଛାଡ଼ି ବିଜେପିକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି  । କାହିଁକିନା ବିଜେଡ଼ିକୁ ସେ ଆଦୌ ଯିବେ ନାହିଁ  । ଭିକେ ପାଣ୍ଡିଆନଙ୍କ ସହ ତାଙ୍କର ବିବାଦ ଯୋଗୁଁ ସେ ରାଜନୀତିକୁ ଆସିଥିଲେ  । କଂଗ୍ରେସ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ କରିବାକୁ ପ୍ରତିଶ୍ରୁତି ଦେବାରୁ ସେ କଂଗ୍ରେସକୁ ଚୟନ କରିଥିଲେ  । ଏବେ ରାଜ୍ୟରେ କଂଗ୍ରେସର ଆଉ ଭବିଷ୍ୟତ ନାହିଁ ବୋଲି ସେ ଅନୁଶୀଳନ କରିଛନ୍ତି  । ତେଣୁ ବିଜେପି ଆଡ଼କୁ ମୁହାଁଇବାର ଯଥେଷ୍ଟ ସମ୍ଭାବନା ରହିଛି  । 

ସୂଚନାଯୋଗ୍ୟଯେ, ନିକଟରେ ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର କାଡ଼ାମ, ଜୟଦେବ ଜେନା, ସପ୍ତଗିରି ଉଲାକା, ଅଶୋକ ଦାସ, ଭକ୍ତଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ବଳଭଦ୍ର ମାଝୀ, ସସ୍ମିତା ବେହେରାଙ୍କୁ ଷ୍ଟିୟରିଂ କମିଟିରେ ରଖାଯାଇଛି  ।  କିନ୍ତୁ ବିଜୟଙ୍କୁ ଏହି କମିଟିରେ ସ୍ଥାନ ମିଳିନାହିଁ  । ସେହିପରି ବିଜୟଙ୍କୁ ଦଳ ପ୍ରଚାର କମିଟି ଅଧ୍ୟକ୍ଷ କରିଥିବାବେଳେ ପରେ କିନ୍ତୁ ଦାୟିତ୍ୱ କାଢ଼ି ନେଇଥିଲା  । ଗତ ନିର୍ବାଚନରେ ସେ ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଛନ୍ତି  । ତେବେ ନିର୍ବାଚନ ପରେପରେ ବିଜୟଙ୍କୁ ଆଉ ଦଳ ଲୋଡ଼ିନଥିଲା  । 

ଆଗାମୀ ଦିନରେ କଂଗ୍ରେସର କ’ଣ ରଣନୀତି ରହିଛି ତାହାକୁ ନେଇ ବି ଦ୍ୱନ୍ଦ୍ୱ ଲାଗିରହିଛି  । ଏପଟେ ସଂଗଠନରେ ଗୁରୁତ୍ୱ ମିଳୁନଥିବାବେଳେ ଆଗାମୀ ଦିନରେ ଦଳ ଉଠିପାରିବ ନାହିଁ ବୋଲି ବିଜୟ ଭଲଭାବେ ଜାଣିସାରିଛନ୍ତି  । ୨୦୨୯ ପାଇଁ ଅପେକ୍ଷା କରି କିଛି ଲାଭ ନାହିଁ ବୋଲି ସେ ଅନୁଭବ କରିସାରିଛନ୍ତି  । ଏବେ ସେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି  । ଆଗାମୀ ଦିନରେ ସେ ଅନ୍ୟ ଦଳରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି  ।