ଯୁବକଙ୍କୁ ସଂଘବଦ୍ଧ ହତ୍ୟା ଘଟଣା :ଜଣେ ଗିରଫ, ୩ ଫେରାର
ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଞ୍ଚାୟତ ଉସିଗାଁରେ ସଂଘବଦ୍ଧ ହତ୍ୟାରେ ଜଣେ ଯୁବକକୁ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦୀର୍ଘ ୧୪ ଦିନ ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୩ ଜଣ ଅଭିଯୁକ୍ତ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ଜଣକ ହେଲା ଡାବୁଗାଁ ଥାନା ପାତ୍ରୀ ପଂଚାୟତ ତେନ୍ତୁଳିଗୁଡା ଗାଁ ର ରମେଶ ହରିଜନ । ସୂଚନା ଅନୁସାରେ, ଘଟଣା ଦିନ ଚାରି ଅଭିଯୁକ୍ତ କୌଣସି କାମରେ ବନ୍ଧଗୁଡା ଗ୍ରାମକୁ ଯାଇଥିଲେ । ସେମାନେ ସନ୍ଧ୍ୟା ୭ ଟା ବେଳେ ଫେରୁଥିବା ସମୟରେ ଉସିଗାଁ ପୂଜାରୀ ସାହିର ଘାସିରାମ ମାଝୀ ଓ ସେହି ଗାଁ ତଳ ସାହିର ଜଗଦୀଶ ମାଝୀ ମୈଦଲପୁରରୁ କାମ ସାରି ଫେରୁଥିବା ବେଳେ ପାଇକ କତରା ଓ ଉସିଗାଁ ମଝିରେ ଏକ ନିଛାଟିଆ ସ୍ଥାନରେ ଅଭିଯୁକ୍ତମାନେ ଅଟକାଇ ମୋବାଇଲ ଓ ଟଙ୍କା ମାଗିଥିଲେ । ଜଗଦୀଶ ଟଙ୍କା ଦେଇଦେଇଥିଲା । କିନ୍ତୁ ଘାସିରାମ ଅଭିଯୁକ୍ତମାନଙ୍କ ସହ ଯୁକ୍ତିତର୍କ ହେବା ସହ ଟଙ୍କା ଓ ମୋବାଇଲ ନ ଦେଇ ଫିଙ୍ଗି ଦେଇଥିଲା । ଏଥିରେ ରାଗି ଯାଇ ଧାରୁଆ ଅସ୍ତ୍ରରେ ତାକୁ ଆକ୍ରମଣ କରି ଚାଲି ଯାଇଥିଲେ । ଘଟଣା ସ୍ଥଳରେରେ ଘାସିରାମର ମୃତୁ୍ୟ ଘଟିଥିଲା । ଅଭିଯୋଗ ପାଇବା ପରେ ମୈଦଲପୁର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୩ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିପିନ କୁମାର କୁଲଦୀପ କହିଥିଲେ ।