ବର୍ଷକୁ ୨ ଥର ସିବିଏସଇ ଦଶମ ପରୀକ୍ଷା !
CBSE 10TH EXAM

ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ : ୨୦୨୫-୨୬ ଶିକ୍ଷାବର୍ଷରୁ ବର୍ଷକୁ ଦୁଇଥର ସିବିଏସଇ ଦଶମ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା ହୋଇଛି । ଏସଂକ୍ରାନ୍ତରେ ଏକ ଚିଠା ନୀତି କରାଯାଉଥିବାବେଳେ ମାର୍ଚ୍ଚ ୯ ସୁଦ୍ଧା ଏନେଇ ମତାମତ ଆହ୍ୱାନ କରାଯାଇଛି ।
ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ପିଲାମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ବର୍ଷକୁ ଦୁଇ ଥର ସିବିଏସଇ ଦଶମ ପରୀକ୍ଷା କରିବାକୁ ଯୋଜନା କରାଯାଇଛି । ଯଦି ପିଲାମାନେ ପ୍ରଥମ ପରୀକ୍ଷାରେ ସନ୍ତୁଷ୍ଟ ନଥା’ନ୍ତି ତେବେ ଦ୍ୱିତୀୟ ଥର ପରୀକ୍ଷା ଦେଇପାରିବେ । ପ୍ରତିବର୍ଷ ମାର୍ଚ୍ଚ ୧୫ ପରେ ପଡୁଥିବା ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ । ଏହାକୁ ଅନୁଶୀଳନ କଲେ ୨୦୨୬ ଫେବୃୃଆରୀ ୧୭ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତାବ ରହିଛି । ସେହିପରି ଦ୍ୱିତୀୟ ଦଫାରେ ମେ’ ୫ରୁ ମେ’ ୨୦ ପର୍ଯ୍ୟନ୍ତ ପରୀକ୍ଷା ହେବ ।
୩୪ ଦିନ ଧରି ପରୀକ୍ଷା ହେବାର ଥିବାବେଳେ ୮୪ଟି ବିଷୟ ରହିଛି । ବିଷୟଗୁଡ଼ିକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରଥମ ବର୍ଗରେ ଇଂରାଜୀ ଓ ହିନ୍ଦୀ, ଦ୍ୱିତୀୟରେ ବିଜ୍ଞାନ, ଗଣିତ ଓ ସାମାଜିକ ବିଜ୍ଞାନ, ତୃତୀୟ ବର୍ଗରେ ଆଞ୍ଚଳିକ ଓ ବିଦେଶୀ ଭାଷା ଏବଂ ଅନ୍ୟ ବର୍ଗରେ କମ୍ପ୍ୟୁଟର ଆପ୍ଳିକେସନ, ଡାଟା ସାଇନ୍ସ ଭଳି ବହୁ ବିଷୟ ରହିଛି । ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ହିନ୍ଦୀ ଓ ଇଂରାଜୀ ପାଇଁ ନିର୍ଦ୍ଧାରିତ ଦିନ ଧାର୍ଯ୍ୟ ହେବ । ଏନେଇ ସିବିଏସଇ ପକ୍ଷରୁ ବିଦ୍ୟାଳୟ, ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କ ଠାରୁ ମତାମତ ଆହ୍ୱାନ କରାଯାଇଛି ।