ଗଛରେ ପିଟିହେଲା କାର୍, ଜଣେ ମୃତ

ବାଲିପାଟଣା, : ଘନ କୁହୁଡ଼ି ଯୋଗୁଁ ଦିଶିଲାନି ବାଟ। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ଶୁକ୍ରବାର ବିଳମ୍ଵିତ ରାତିରେ ଭୁବନେଶ୍ଵର-ପୁରୀ ବାଇପାସ୍ ଲିଙ୍ଗିପୁର ଟ୍ରାଫିକ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇଛି।
ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ଵିତ ରାତିରେ ୫ ଜଣ ଲୋକ ଏକ ଭୋଜିରେ ଯୋଗ ଦେଇ କାର୍ ଯୋଗେ କଟକ ଅଭିମୁଖେ ଫେରୁଥିଲେ। ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଦିଶୁନଥିଲା। ଭୁବନେଶ୍ଵର-ପୁରୀ ବାଇପାସ୍ ଲିଙ୍ଗିପୁର ଟ୍ରାଫିକ୍ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇ ନିକଟରେ ଥିବା ଇଲେକ୍ଟ୍ରିକ୍ ପୋଲରେ ପିଟିହୋଇ ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉକ୍ତ ଗଛଟି ଭାଙ୍ଗି ଯାଇଥିଲା। କାର୍‌ଟି ମଧ୍ୟ ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଏବଂ ଅଗ୍ନିଶମବାହିନୀ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍‌ ପଠାଇଛନ୍ତି। ଧଉଳି ପୋଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ତଦନ୍ତ କରୁଛି।