ପେସା ଆଇନ କ’ଣ?
ଦେଶର ଅନୁସୂଚିତ ଅଞ୍ଚଳ(ସିଡ୍ୟୁଲ୍ଡ ଏରିଆ)ରେ ପେସା (ପଞ୍ଚାୟତ ଏକ୍ସଟେନ୍ଶନ ଟୁ ସିଡ୍ୟୁଲ ଏରିଆଜ୍) ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ୧୯୯୬ ଡିସେମ୍ବର ୨୪ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଭାରତୀୟ ସମ୍ବିଧାନର ପଞ୍ଚମ ପରିଚ୍ଛେଦ ଅନୁଯାୟୀ ୧୦ଟି ରାଜ୍ୟର ସିଡ୍ୟୁଲ୍ଡ ଏରିଆରେ ଏହି ଆଇନକୁ ଲାଗୁ କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଜନଜାତିମାନଙ୍କର ଜୀବନ ଜୀବିକା, କଳା ସଂସ୍କୃତି, ପରମ୍ପରା ସୁରକ୍ଷା ସମେତ ପ୍ରାକୃତିକ ସମ୍ବଳ ଇତ୍ୟାଦି ବିଷୟରେ ଗ୍ରାମସଭା ଜରିଆରେ ସମସ୍ତ ନିଷ୍ପତ୍ତି ନିଆଯିବ।
ଏହି ଆଇନ ଲାଗୁହେଲେ ଗ୍ରାମସଭାର ବିନାନୁମତିରେ ସେହି ଅଞ୍ଚଳରେ କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଅନୁସୂଚିତ ଅଞ୍ଚଳରେ ପାରମ୍ପରିକ ସମ୍ବଳ, ଲଘୁ ଖଣିଜ ଦ୍ରବ୍ୟ, ଲଘୁ ବନଜାତ ଦ୍ରବ୍ୟ, କ୍ଷୁଦ୍ର ଜଳାଶୟ, ଉପଭୋକ୍ତା ଚୟନ, ପ୍ରକଳ୍ପ ଅନୁମୋଦନ ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକ ଉପରେ ଗ୍ରାମସଭାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ଓଡ଼ିଶା ସମେତ ୧୦ଟି ରାଜ୍ୟରେ ଏହି ଆଇନ ଲାଗୁ କରିବାର ବ୍ୟବସ୍ଥା ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ତେଲଙ୍ଗାନା।