ୟାଜଦିନ୍ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ; ଶ୍ରମିକ ମୃତ
ଯଖପୁରା : ସୋମବାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ୟାଜଦିନ ଷ୍ଟିଲରେ ଘଟିଛି ଅଘଟଣ । ଅଘଟଣରେ ଜଣେ ଶ୍ରମିକଙ୍କ ଶୋଚନୀୟ ମୃତୁ୍ୟ ଘଟିଛି । ମାତ୍ର କାରଖାନା କର୍ତୃପକ୍ଷ ଏହାକୁ ଲୁଚାଇବାକୁ ଚେଷ୍ଟା କରିବା ପୂର୍ବକ ମୃତ ଶ୍ରମିକଙ୍କୁ ଗାଡ଼ିରେ ନେଇଯାଇଥିବା ଜଣାପଡ଼ିଛି । ଏପରିକି ଶ୍ରମିକ ମୃତୁ୍ୟ ବିଷୟରେ କାରଖାନାର ମୁଖ୍ୟ ଚିରାଗ ଅଗ୍ରୱାଲାଙ୍କୁ ପଚାରିବାରୁ ସେ ଆମ କାରଖାନାରେ କାହାର ମୃତ କିମ୍ବା ଆହତ ହେବାର ଖବର ମୋ ପାଖରେ ନାହିଁ ବୋଲି କହିଥିବା ବେଳେ ଯଖପୁରା ପୁଲିସ ପାଖରେ ସେମିତି କୌଣସି ଖବର ନାହିଁ କି ପ୍ଲାଂଟ କର୍ତୃପକ୍ଷ ଆମକୁ ସେମିତି କିଛି ଅଘଟଣ ଘଟିଛି ବୋଲି ସୂଚନା ଦେଇ ନାହାଁନ୍ତି ବୋଲି ଥାନା ଅଧିକାରୀ କହିଛନ୍ତି । କିନ୍ତୁ ମିଳିଥିବା ଖବର ମତେ ୟାଜଦିନ ଷ୍ଟିଲ ପ୍ଲାଂଟ ସାମୟିକ ସମୟ ପାଇଁ ବନ୍ଦ ରହିଛି । କାରଖାନାର ମରାମତି ପାଇଁ ପ୍ରାୟ ୧୫ ଦିନ ହେବ କାରଖାନା ବନ୍ଦ ରହିଛି । ଆଜି ସକାଳୁ କାରଖାନାର ପାୱାର ପ୍ଲାଂଟର ଡ଼ିରେକ୍ଟର କଂଟ୍ରୋଲ ସାଇଟ୍ରେ ଏୟାର ଭାଲବ୍ ମରାମତି କାର୍ଯ୍ୟ କରୁଥିବା ବେଳେ ଅଣଓଡ଼ିଆ ଶ୍ରମିକ ପ୍ରାୟ ୫୦ଫୁଟ ତଳକୁ ଖସିପଡ଼ିଥିଲେ । ଯାହା ଖବର ମିଳିଛି ଉକ୍ତ ସାଇଟ୍ରେ ପ୍ରାୟ ୫ ରୁ ୭ ଜଣ ଶ୍ରମିକ ଉପରକୁ ଚଢ଼ି କାମ କରୁଥିଲେ । ଜଣେ ଶ୍ରମିକ ପ୍ରାୟ ୬୦ ରୁ ୭୦ ଫୁଟ ଉପରୁ ତଳକୁ ଖସିପଡିଥିଲେ । ଫଳରେ ଘଟଣା ସ୍ଥଳରେ ଗୁରୁତର ହୋଇପଡ଼ିଥିଲା । ଘଟଣା ସ୍ଥଳକୁ ଯେ ବି ଦେଖିବ ଶ୍ରମିକ ଜଣକ ମୃତୁ୍ୟ ବରଣ କରିଛି ବୋଲି କହିବ । ଏମିତିକି କାରଖାନାରେ କାର୍ଯ୍ୟରତ ଡାକ୍ତର ଏହାକୁ ମୃତ ଘୋଷଣା କରିଥିଲେ । କିନ୍ତୁ କାରଖାନା କର୍ତୃପକ୍ଷ ଏହାକୁ ଛପାଇବା ପାଇଁ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ କେଉଁ ଆଡେ ନେଇଯାଇଥିଲେ । କଟକରେ ତାର ଚିକିତ୍ସା ଚାଲିଛି ବୋଲି କହୁଛନ୍ତି । ମାତ୍ର ବିଶେଷ ସୂତ୍ରରୁ ଖବର ଯେ ଘଟଣା ସ୍ଥଳରେ ମୃତୁ୍ୟ ଘଟିଛି । ଯେହେତୁ କାମ କରିବା ପାଇଁ ଆସିଥିବା ଶ୍ରମିକ ବାହାର ଅଞ୍ଚଳର ତେଣୁ ତାକୁ ଲୁଚାଇବାକୁ କାରଖାନା କତୃପକ୍ଷ ଲାଗିପଡିଛନ୍ତି । ପ୍ରାୟ ୫ ଦିନ ହେବ ବିହାର ଅଞ୍ଚଳରୁ ଜଣେ ତୃତୀୟ ପାର୍ଟି ଠିକାଦାର ୟାଜଦିନ ଷ୍ଟିଲ ପ୍ଲାଂଟରେ ମରାମତି କାମ କରିବା ପାଇଁ ଶ୍ରମିକ ଯୋଗାଇଥିଲେ । ଏହାର ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ।