ଘେରିବନ୍ଧରେ ମାଟି ପକାଇବାରେ ଦୁର୍ନୀତି
ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା : ରାଜ୍ୟ ସରକାର ପ୍ରତି ନଦୀବନ୍ଧ ଓ ଘେରିବନ୍ଧକୁ ସୁଦୃଢୀକରଣ କ୍ଷେତ୍ରରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମିଲିଭଗତରେ ଘେରିବନ୍ଧ ମରାମତି ଓ ସୁଦୃଢ କରିବା ନାରେ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥିବା ପରିଲକ୍ଷିତ ହୋଇଛି । ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଅବଗତ କରାଇବା ପରେ ମଧ୍ୟ କାର୍ଯ୍ୟରେ କିଛି ଫରକ ପଡିଲା ନାହିଁ । ଫଳରେ ଗ୍ରାମର ୱାର୍ଡସଭ୍ୟ, ସରପଞ୍ଚ, ସମିତିସଭ୍ୟଙ୍କ ସମେତ ଗ୍ରାମବାସୀ ଯାଜପୁର ଜିଲାପାଳ ଓ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି । ଯାଜପୁର ବ୍ଲକ ଜାରକା ଜଳସମ୍ପଦ ବିଭାଗ ଅଧିନ ଝାଲପଡା ପଞ୍ଚାୟତ ସାନବାଗସାହି ଓ ଝାଲପଡା ଗ୍ରାମର ୫ଟି ୱାର୍ଡରେ ବସବାସ କରୁଥିବା ୨ଶହରୁ ଉର୍ଦ୍ଧ ପରିବାର ବ୍ରହ୍ମଣୀ ନଦୀକୂଳରେ ଅତି ଦୟନୀୟ ଭାବେ ବସବାସ କରୁଛନ୍ତି । ପ୍ରତିବର୍ଷ ବନ୍ୟା ସମୟରେ ସେଠାକା ଲୋକେ ନଦୀବନ୍ଧ ଓ ବିଦ୍ୟାଳୟ ଗୃହରେ ଆଶ୍ରୟ ନେଉଥିବା ବେଳେ ଲକ୍ଷାଧିକ ଟଙ୍କାର ଧନଜୀବନ ହାନି ଘଟେ । ଏନେଇ ଗ୍ରାମବାସୀଙ୍କ ବହୁ ଚେଷ୍ଟା ପରେ ଚଳିତ ବର୍ଷ ଉକ୍ତ ନଦୀକୂଳରେ ଘେରିବନ୍ଧକୁ ସୁଦୃଢଭାବେ ମରାମତି କରିବାକୁ ସଂପୃକ୍ତ ବିଭାଗ ପକ୍ଷରୁ ୩୮ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ହେଲେ ଠିକାଦାର ଜଣକ ଉକ୍ତ କାର୍ଯ୍ୟକୁ ନିମ୍ନମାନର କରିଥିବା ନେଇ ଅଭିଯୋଗ ହୋଇଛି । ସୂଚନାଥାଉକି ଝାଲପଡା ଗ୍ରାମର ମାଧବାନନ୍ଦ ବିଶ୍ୱାଳ ଗଢା ଠାରୁ ଶନି ଗଢା ପର୍ଯ୍ୟନ୍ତ୪ଶହ ମିଟର ଘେରିବନ୍ଧ ମରାମତି ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୩୮ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଏହି ଅର୍ଥରେ ଘେରି ବନ୍ଧକୁ ଉଚ୍ଚା କରିବା ସହିତ ଉଭୟ ପାଶ୍ୱର୍କୁ ସୁଦୃଢ କରିବା ପାଇଁ ପ୍ରାବଧାନ ରହିଥିଲା । ହେଲେ ଠିକାଦାର ଘେରିବନ୍ଧରେ ମାଟି ପକାଇବାରେ ଠକାମି କରିଥିବା ଅଭିଯୋଗ ହୋଇଛି । ଉକ୍ତ ଘେରିବନ୍ଧରେ କାଁ ଭାଁ ମାଟି ପକାଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ଏପରିକି ମାଟି ପକାଇବା ବଦଳରେ ଏହି ଗାଁର ମୁସଲମାନ ସାହିର ଲିୟାକତ ଅଲ୍ଲି, ଅନୁୟାର ବିବି, ଅକବରୀ ଅଲ୍ଲିଙ୍କ ଢିଅକୁ କାଟି ମାଟି ନେଇ ଯାଇଥିବା ଅଭିଯୋଗ ହୋଇଛି । ଫଳରେ ନଦୀରେ ବନ୍ୟା ଆସିଲେ ଏହି ୱାର୍ଡର ନଦୀକୂଳରେ ବାସ କରୁଥ୍ୱବା ଶହଶହ ପରିବାରଙ୍କ ଘରେ ପାଣି ପସିବ । ଶତାଧିକ ଲୋକେ ଓ ଗୃହପାଳିତ ପଶୁ ବାସଚୁ୍ୟତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ଏନେଇ ଝାଲପଡା ସରପଞ୍ଚ ଭାରତୀ ମଲ୍ଲିକ, ସମିତିସଭ୍ୟ ନିର୍ମଳ କୁମାର ସାମଲ, ପ୍ରମୋଦ କୁମାର ନାୟକ, ୱାର୍ଡସଭ୍ୟ ବ୍ରଜ କିଶୋର ଦଳାଇ, ମାନବତି ନାୟକ, କୁଷ ବେହେରା, ସେକ ସାକିର ଅଲ୍ଲି, ଅନୁୱାରି ବିବି, ବାବୁ ମଲ୍ଲିକ, ସୁଦର୍ଶନ ମଲ୍ଲିକ, ଅଶୋକ ମୁଦୁଲି, ଅସନାନ ଅଲ୍ଲି, ଅଞ୍ଜନ ମହାରଣା, ଅଲେଖ ଦଳାଇ, ବାବୁଲା ଦଳାଇ, ଅଶୋକ ଦାସ, ଆତୁଳ ଦଳାଇ, ମହେନ୍ଦ୍ର ଦଳାଇ,ଚଗ ସେଠି,କୈଳାଷ ନାୟକ ପ୍ରମୁଖ ଗ୍ରାମବାସୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଭିଜିଲାନ୍ସ ଇନ୍ସ୍ପେକ୍ଟର ସୁଲୋଚନା ନାୟକଙ୍କୁ ସାକ୍ଷାତ କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ଉନ୍ନତମାନର କାର୍ଯ୍ୟ କରିବା ପାଇଁ ଦାବି କରିଛନ୍ତି ।