ଅନୁପ୍ରବେଶ ଉଦ୍ୟମ ପଣ୍ଡ : ୨ ଆତଙ୍କୀ ନିହତ
ଶ୍ରୀନଗର : ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ସେନା । ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲା କେରନ ସେକ୍ଟର ନିୟନ୍ତ୍ରଣ ରେଖା (ଏଲଓସି) ରେ ୨ ଜଣ ଆତଙ୍କବାଦୀ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ।
ଅନୁପ୍ରବେଶ ପ୍ରୟାସ ସମ୍ପର୍କରେ ଏଜେନ୍ସିଗୁଡ଼ିକରୁ ମିଳିଥିବା ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ କୁପୱାଡାର କେରନ ସେକ୍ଟରରେ ଏକ ମିଳିତ ଅପରେସନ ଆରମ୍ଭ କରାଯାଇଥିବା ନେଇ ସେନାର ଶ୍ରୀନଗର-ସ୍ଥିତ ଚିନାର କର୍ପସ ଏକ୍ସରେ ପୋଷ୍ଟ କରିଛି । ଏହା କହିଛି ଯେ ସୈନିକମାନେ ଅଞ୍ଚଳରେ ସନ୍ଦେହଜନକ ଗତିବିଧି ଦେଖି ଅନୁପ୍ରବେଶକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଆତଙ୍କବାଦୀଙ୍କ ସହ ଯୋଗାଯୋଗ ସ୍ଥାପନ ହୋଇଥିଲା ଓ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏନକାଉଣ୍ଟର ପରେ ଘେରାବନ୍ଦୀ କଡ଼ାକଡ଼ି କରିବା ପାଇଁ ଅତିରିକ୍ତ ସୈନିକଙ୍କୁ ସେହି ଅଞ୍ଚଳକୁ ପଠାଯାଇଥିଲା । ସୁରକ୍ଷା ବାହିନୀ ଆକାଶ ନିରୀକ୍ଷଣ ପାଇଁ ଡ୍ରୋନ୍ ଓ ୟୁଏଭି ବ୍ୟବହାର କରିଥିଲେ । ଶେଷ ରିପୋର୍ଟ ଆସିବା ପର୍ଯ୍ୟନ୍ତ ‘ଅପରେସନ୍ ପିମ୍ପଲ୍' ଚାଲିଥିଲା । ଶୀତ ଋତୁ ଆରମ୍ଭ ହେବା ପୂର୍ବର ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସକୁ ପଣ୍ଡ କରିବା ପାଇଁ ସୀମାରେ ସୁରକ୍ଷା ଉପକରଣ ଓ ଅନୁପ୍ରବେଶ ବିରୋଧୀ ଗ୍ରୀଡକୁ ଆହୁରି ମଜଭୁତ କରାଯାଇଛି ।