ପାଇଖାନା ଟାଙ୍କିରେ ମୃତୁ୍ୟ ଘଟଣା : ଘର ମାଲିକଙ୍କ ବିରୋଧରେ ମାମଲା , ୧୦ ଲକ୍ଷ କ୍ଷତିପୂରଣ ଦାବି
ନବରଙ୍ଗପୁର/ନନ୍ଦାହାଣ୍ଡ : ନନ୍ଦାହାଣ୍ଡି ବ୍ଲକ୍ ପଡ଼ାଲଗୁଡ଼ା ଗ୍ରାମରେ ପାଇଖାନା ସେଣ୍ଟରିଂ ବାହାର କରିବା ବେଳେ, ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତୁ୍ୟ ଘଟଣାରେ ଘର ମାଲିକ ମୋହନ ନାଗଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ । ଅଭାବନୀୟ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଁଏ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ରେଡକ୍ରସ ପାଣ୍ଠିରୁ ୧୫ ହଜାର ଲେଖାଁଏ ଆର୍ଥିକ ସହାୟତା କାର୍ଯ୍ୟରେ ନିୟୋଜିତ ହୋଇଥିବା ମୃତ ଶ୍ରମିକଙ୍କୁ ପ୍ରଦାନ କରିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୌରାଧ୍ୟକ୍ଷ କୁନୁ ନାୟକ, ବରିଷ୍ଠ ପରିଷଦ ସଭ୍ୟ ଦିବ୍ୟଦାନ ସୁନା, କଂଗ୍ରେସ ନେତା ମୁନା ତ୍ରିପାଠୀ ପ୍ରମୁଖ ମୃତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଅପରପକ୍ଷରେ ସିପିଡିଆରଏସ) ସଙ୍ଗଠନର ରାଜ୍ୟ ଆବାହକ ବିଶ୍ୱାବସୁ ଦାସ ମୃତ ଶ୍ରମିକମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାପାଇଁ ଦାବି କରିଛନ୍ତି ।