ବୋମା ଶବ୍ଦରେ ଥରିଲା ଅଞ୍ଚଳ

 ଭଦ୍ରକ  :  ପ୍ରଚଣ୍ଡ ବୋମା ଶବ୍ଦରେ ଥରିଲା ଭଦ୍ରକ ବ୍ଳକର କଲେଇ ପଞ୍ଚାୟତର ଗାଁଗଣ୍ଡା । ଘର ଦ୍ୱାର ଥରିବା ସହିତ ଭାଙ୍ଗିଲା ଝରକା କାଚ । ଭୟରେ ଆତଙ୍କିତ ହୋଇ ଘର ବାହାରକୁ ବାହାରି ଆସିଲେ ଗ୍ରାମବାସୀ । ଏପରି ଅଘଟଣ ଘଟିଛି ଭଦ୍ରକ ବ୍ଲକ କଲେଇ ପଞ୍ଚାୟତରେ  । ଗତକାଲି ରାତିରେ କଲେଇ ଗାଁ ମୁଣ୍ଡରେ ପ୍ରଚଣ୍ଡ ବୋମା ପୁଟିବା ଶବ୍ଦ ଶୁଭିବା ସହିତ ନିଆଁ ଓ ଧୁଆଁମୟ ହୋଇଯାଇଥିଲା ଆକାଶ ।  ଯାହାକୁ ନେଇ ଭୟଭୀତ ହୋଇ ଲୋକେ ଘର ବାହାରକୁ ପଳାଇ ଆସିଥିଲେ । ଅନେକ ଲୋକଙ୍କ ଘର ଆଖପାଖରେ ନିଆଁ ଛିଟା ମଧ୍ୟ ପଡ଼ିଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଭଦ୍ରକ ପୁଲିସ ପକ୍ଷରୁ ଜବତ କରାଯାଇଥିବା ମାତ୍ରାଧିକ ବାଣ ତିଆରି ସାମଗ୍ରୀକୁ ନେଇ ସେଠାରେ ନିଷ୍କ୍ରିୟ କରାଯାଉଥିବା ଜଣା ପଡିଛି । ଅଗ୍ନିଶମ ବାହିନୀ ସମେତ ପୁଲିସ ଉପସ୍ଥିତ ରହି ବାଣ ସବୁକୁ ନିଆଁ ଲଗାଇ ନିଷ୍କ୍ରିୟ କରିଛି । ତେବେ ପଞ୍ଚାୟତ ମୁଣ୍ଡରେ ଏପରି କରାଯିବା ପୂର୍ବରୁ ସ୍ଥାନୀୟ ସରପଞ୍ଚଙ୍କ ସମେତ ଗ୍ରାମବାସୀଙ୍କୁ ଅବଗତ କରାଯାଇନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଗାମୀ ଦିନରେ ବାଣ ନିଷ୍କ୍ରିୟ ସ୍ଥାନଗୁଡିକରେ ଲୋକଙ୍କୁ ଅବଗତ କରାଯିବା ସହିତ ଜନଗହଳିପୂର୍ଣ୍ଣ ସ୍ଥାନ ଠାରୁ ଅନତି ଦୂରରେ ବାଣ ନିଷ୍କ୍ରିୟ କରାଯିବ ବୋଲି କହିଛନ୍ତି ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା  ।