ବଜ୍ରପାତରେ ୪ ମୃତ
କବାଟବନ୍ଧ/ଭଦ୍ରକ/ହିଞ୍ଜିଳିକାଟୁ: ବଜ୍ରପାତରେ ଆଜି ୪ ଜଣଙ୍କର ମୃତୁ୍ୟ ଘଟିଥିବା ନେଇ ସୂଚନା ମିଳିଛି । ଆମ କବାଟବନ୍ଧ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଧର୍ମଶାଳା ବ୍ଲକ ମଧୁସୂଦନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଚାଷୀ ଭାଗିରଥି ନାୟକ(୭୦)ଙ୍କ ବଜ୍ରପାତରେ ମୃତୁ୍ୟ ଘଟିଛି । ରବିବାର ଅପରାହ୍ନରେ ଜେନାପୁର ଥାନା ଅଞ୍ଚଳରେ ପ୍ରବଳ ଘଡଘଡି ସହିତ ବର୍ଷା ହୋଇଥିଲା । ଭାଗିରଥି ନିଜ ଚାଷଜମିରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଫଳରେ ଭାଗିରଥି ସେହି ସ୍ଥାନରେ ଅଚେତ ହୋଇ ପଡ଼ିଥିଲେ । ପାଖରେ ଚାଷ କାର୍ଯ୍ୟ କରୁଥିବା ଚାଷୀ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଭାଗିରଥିଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି ଭଦ୍ରକ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଭଦ୍ରକ ବ୍ଳକ ଅଧିନସ୍ଥ କୋଡ଼ବରୁଆଁ ପଞ୍ଚାୟତର ପ୍ରଶାନ୍ତ ଦାସଙ୍କ ଝିଅ ମିଲିରାଣୀ ଦାସ ଚରମ୍ପା ମହାବିଦ୍ୟାଳୟର +୩ ପ୍ରଥମ ବର୍ଷର ଛାତ୍ରୀ । ସେ ଆଜି ବାଡିକୁ ଯାଇ ଫେରିବା ସମୟରେ ବଜ୍ରାଘାତରେ ଶିକାର ହୋଇଥିଲେ । ତାଙ୍କୁ ତୁରନ୍ତ ଭଦ୍ରକ ମେଡିକାଲ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ହିଞ୍ଜିଳିକାଟୁ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳାରେ ଶନିବାର ସନ୍ଧ୍ୟାରେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ଗଣ୍ଡଳା ଗ୍ରାମର ଶ୍ରୀକାନ୍ତ ଗୌଡ । ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ଗଣ୍ଡଳା ଗ୍ରାମରେ ବର୍ଷା ସହ ବଜ୍ରପାତ ଘଟିଥିଲା । ସେହି ସମୟରେ ଯୁବକ ଜଣଙ୍କ ମେଣ୍ଢାପଲକୁ ନେଇ ଗ୍ରାମ ନିକଟସ୍ଥ ପଡ଼ିଆରେ ଚରାଉଥିଲେ । ବଜ୍ରପାତ ଘଟିବାରୁ ଯୁବକ ଜଣଙ୍କ ସଂଜ୍ଞାହୀନ ହୋଇ ଘଟଣା ସ୍ଥଳରେ ପଡି ଯାଇଥିଲେ । ଖବର ପାଇ ଗ୍ରାମର କିଛି ଲୋକେ ଆହତଙ୍କୁ ଯୁବକଙ୍କୁ ଉଦ୍ଧାର କରି ଚିକିସôା ପାଇଁ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରିବା ପାଇଁ ଆହତ ପରିବାର ଲୋକେ ପ୍ରାୟ ୪୫ ମିନିଟ ଧରି ଅପେକ୍ଷା କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା । ଫଳରେ ବାଧ୍ୟହୋଇ ପରିବାର ଲୋକେ ଏକ ଯାତ୍ରୀବାହୀ ଅଟୋ ଯୋଗେ ଆହତଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିଲା । ବ୍ରହ୍ମପୁର ବଡ ଡାକ୍ତରଖାନାକରେ ଡାକ୍ତର, ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ସଠିକ୍ ସମୟରେ ଆମ୍ବୁଲାନ୍ସ ନଆସିବାରୁ ଯୁବକଙ୍କ ମୃତୁ୍ୟ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ରବିବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।