ବେଙ୍ଗାଲୁରୁ ଦଳାଚକଟା  : ବିଧାନସୌଧ ମୁଖ୍ୟ ସୁରକ୍ଷାଧିକାରୀଙ୍କ ଚିଠି ଭାଇରାଲ


 ବେଙ୍ଗାଲୁରୁ : ବେଙ୍ଗାଲୁରୁ ଦଳାଚକଟା ଘଟଣାକୁ ୪ ଦିନ ବିତିଛି । ଏହାରି ମଧ୍ୟରେ ବହୁ ଶୀର୍ଷ ପୁଲିସ୍ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆରସିସି ଠାରୁ ଧରି ଉତ୍ସବ ଆୟୋଜନରେ ଜଡ଼ିତ ସଂସ୍ଥାମାନଙ୍କ ନାଁରେ କୋର୍ଟରେ ମାମଲା ଗଡ଼ୁଛି । କିନ୍ତୁ ଉତ୍ସବ ଆୟୋଜନ ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାନସୌଧ ମୁଖ୍ୟ ସୁରକ୍ଷାଧିକାରୀ ରାଜ୍ୟ ସରକାରଙ୍କୁ ଲେଖିଥିବା ଚିଠି ଏବେ ଭାଇରାଲ ହେଉଛି । ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଏହି ଚିଠି ଭାଇରାଲ ହୋଇଥିବା ବେଳେ କର୍ଣ୍ଣାଟକ ସରକାରଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏ ଚିଠି କେଉଁ ପରିସ୍ଥିତିରେ କିଏ ସୋସିଆଲ୍ ମିଡିଆରେ ପୋଷ୍ଟ କଲା ତାହା ଜଣାପଡ଼ି ନାହିଁ ।
ବିଧାନସଭା ମୁଖ୍ୟ ସୁରକ୍ଷାଧିକାରୀ ତଥା ଡିସିପି (ବିଧାନସୌଧ) ଏମ୍ଏନ୍ କରିବାସଭନ ଗୌଡ଼ ଗତ ୪ ତାରିଖରେ କର୍ଣ୍ଣାଟକ ସରକାରଙ୍କ ପର୍ସନାଲ୍ ଆଣ୍ଡ ଆଡମିନିଷ୍ଟ୍ରେଟିଭ୍ ରିଫର୍ମ ବିଭାଗର ସଚିବ ଜି ସତ୍ୟବତୀଙ୍କୁ ଏ ସମ୍ପର୍କରେ ଚିଠି ଲେଖିଥିଲେ । ଏଥିରେ ଉଲ୍ଲେଖ କରିଥିଲେ ଯେ, ‘ସାରା ଭାରତ ବର୍ଷରେ ତଥା ରାଜ୍ୟରେ ଆର୍ସିବି ଫ୍ୟାନ୍ ଫଲୋଇଂ ସବୁଠାରୁ ଅଧିକ । ଏଣୁ ଯଦି ବିଧାନସୌଧ ମଧ୍ୟରେ ବିଜୟ ଉତ୍ସବ ଆୟୋଜନ ହୁଏ, ତେବେ ଅସମ୍ଭାଳ ଭିଡ଼କୁ ଆୟତ କରିବା କଷ୍ଟକର ହୋଇପଡ଼ିବ । ତା’ ସାଙ୍ଗକୁ ଆମ ପାଖରେ ମାନବ ସମ୍ବଳ ମଧ୍ୟ ଅଭାବ । ଏଣୁ ବିଜୟ ଉତ୍ସବ ପାଳନ କରାଯିବା ପୂର୍ବରୁ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ।’