ବ୍ରହ୍ମପୁରରେ ହେବ ଅଭିଯୋଗ ଶୁଣାଣି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବ୍ରହ୍ମପୁରକୁ ଆସିବ । ଆପଣମାନଙ୍କ ଦାବି ଓ ସମସ୍ୟା ଶୁଣିବା ପାଇଁ ବ୍ରହ୍ମପୁରକୁ ଆସିବି । ପୂର୍ବ ସରକାରଙ୍କ ୫ଟି ସ୍କୁଲ ଏକ ପ୍ରହସନ ଥିଲା । ମାତ୍ର ୧୬% ସ୍କୁଲରେ ଇଣ୍ଟରନେଟ ସଂଯୋଗ କରି ଡିଜିଟାଲ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା । ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉତ୍ତମ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
୨୦୩୬ରେ ଓଡିଶା ତାର ଶହେ ବର୍ଷ ପୂରଣ କରୁଛି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ୱପୂର୍ଣ୍ଣ ଭୂମିକା ରହିବ । ତେଣୁ ଉଭୟ ପ୍ରାଥମିକ ଓ ଉଚ୍ଚଶିକ୍ଷାକୁ ସୁଦୃଢ କରିବା ପାଇଁ ଆମ ସରକାର ବଦ୍ଧପରିକର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉସôବରେ ଯୋଗ ଦେଇ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରଥମେ ବିଦ୍ୟାଳୟର ପ୍ରତିଷ୍ଠାତା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଭଗବାନ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେଯେ, ୧୯୨୪ ମସିହା ମାର୍ଚ୍ଚ ୧୫ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଶହେ ବର୍ଷ ଧରି ଜ୍ଞାନର ଆଲୋକ ବିକିରଣ କରିଆସୁଛି । ବିଦ୍ୟାଳୟର ଉଦେ୍ଦଶ୍ୟ ହେଉଛି ପାଠ ପଢାଇ ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢି ସମାଜ ଗଠନର ଗୁରୁଦାୟିତ୍ୱ ନ୍ୟସ୍ତ କରିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଶାସନଭାର ନେଲା ପରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ୨୦୨୦ରେ ମୋଦୀଜୀଙ୍କ ଦିଗ୍ଦର୍ଶନରେ ନୂତନ ଶିକ୍ଷାନୀତି ପ୍ରଣୟନ ହୋଇଥିଲା । ଦୁର୍ଭାଗ୍ୟର କଥା, ଆମ ରାଜ୍ୟରେ ଏହି ନୂତନ ଶିକ୍ଷା ନୀତିକୁ ୫ ବର୍ଷ ଧରି ଲାଗୁ କରାଯାଇନଥିଲା । ଆଜି ଆମ ସରକାର ଆସିବା ପରେ, ଏହା ଲାଗୁ କରାଯାଇଛି । ଏହାଦ୍ୱାରା ନିଶ୍ଚିତଭାବେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ।
ସେ ଆହୁରି କହିଥିଲେ ପୂର୍ବ ସରକାରଙ୍କ ୫ଟି ସ୍କୁଲ ଏକ ପ୍ରହସନ ଥିଲା । ମାତ୍ର ୧୬ ପ୍ରତିଶତ ସ୍କୁଲରେ ଇଣ୍ଟରନେଟ ସଂଯୋଗ କରି ଡିଜିଟାଲ ସ୍କୁଲ ନାଁରେ ପ୍ରହସନ ଚାଲିଥିଲା । ବାସ୍ତବ କ୍ଷେତ୍ରରେ ପିଲାମାନଙ୍କ ଉତ୍ତମ ଶିକ୍ଷାଦାନ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା ।
ଆମ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛନ୍ତି । ଆଦିବାସୀ ପିଲାଙ୍କ ଭିତରେ ଡ୍ରପଆଉଟ ହାର କମାଇବା ପାଇଁ ମାଧୋସିଂ ହାତଖର୍ଚ୍ଚ ଯୋଜନା ଆରମ୍ଭ କରାଯାଇଛି । ଚଳିତବର୍ଷ ବଜେଟରେ ପ୍ରାଥମିକ ଶିକ୍ଷା ପାଇଁ ରେକର୍ଡ ୩୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଦାବି ସଂପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେଯେ, ଭୀମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟରେ ସାମିଲ କରାଯିବ । ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଏକ ଡିପିଆର ପ୍ରସ୍ତୁତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ସରକାର ନିର୍ବାଚନ ପୂର୍ବରୁ ଯେଉଁ କଥା ଦେଇଥିଲେ, କଥା ରଖି ସବୁ କାମ କରିଛନ୍ତି । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ହେବ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବ୍ରହ୍ମପୁରକୁ ଆସିବ, ଆପଣ ମାନଙ୍କ ଦାବୀ ଓ ସମସ୍ୟା ଶୁଣିବା ପାଇଁ ବ୍ରହ୍ମପୁର କୁ ଆସିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ଏବଂ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖିଥିଲେ । ଖଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ପୁରାତନ ଛାତ୍ର ରାଧାକୃଷ୍ଣ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଧାନଶିକ୍ଷକ ସନ୍ତୋଷ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଶିକ୍ଷକ ଚିତ୍ତରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।