ବାଇକ ଧକ୍କାରେ ବ୍ୟବସାୟୀ ମୃତ
କୁଆଖିଆ : ୨୦ ନମ୍ବର ରାଜପଥ ବରାଂଶ ନିକଟରେ ବାଇକ ଧକ୍କାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତୁ୍ୟ ଘଟିଛି । ସୂଚନା ଅନୁଯାୟୀ ବରୀ ମାଳଦା ଅଞ୍ଚଳ ମିଳିମିଳା ଗ୍ରାମର ରମାକାନ୍ତ ସାହୁ (୨୮) କୁଆଖିଆରୁ ଘରକୁ ଯାଉଥିବା ବେଳେ ବ୍ରାହ୍ମଣବାଛ ଗ୍ରାମର ବ୍ୟବସାୟୀ ରାଧାନାଥ ସାହୁ ତାଙ୍କ ସାଇକେଲ ଯୋଗେ ଘରକୁ ଯାଉଥିଲେ । ବାଇକ ଚାଳକ ରମାକାନ୍ତ ସାଇକେଲ ଆରୋହୀ ରାଧାନାଥଙ୍କୁ ପଛପଟୁ ଧକ୍କା ଦେଇ ପଡି ଯାଇଥିଲେ । ଯାହା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟ ଘରୋଇ ପ୍ରୀତ ମେଡିକାଲରେ ପ୍ରାଥମିକ ଚିକିତ୍ସା କରିବା ପରେ ରମାକାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ରାଜଧାନୀ ମେଡିକାଲରେ ଭର୍ତି କରିଥିଲେ । ଆଜି ରମାକାନ୍ତଙ୍କ ମୃତ୍ୟୁ ହୋଇଯାଇଛି । ରମାକାନ୍ତ ଦୀର୍ଘ ଦିନ ହେବ କୁଆଖିଆରେ ଏଲଇଡି ଲାଇଟି ବ୍ୟବସାୟ କରି ଆସୁଥିଲେ । ତାଙ୍କ ବିୟୋଗରେ ଲକ୍ଷ୍ମୀନାରାୟଣ ମାର୍କେଟ ବ୍ୟବସାୟୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ମୃତ ରମାକାନ୍ତଙ୍କ ମର ଶରୀରକୁ ବ୍ୟବଚ୍ଛେଦ ପରେ ଗ୍ରାମରେ ସଂସ୍କାର କରା ଯାଇଥିଲା