ଚଢା ଦରରେ ମଦ ବିକ୍ରି ଅଭିଯୋଗ 

 ରାଜନଗର: ସରକାର ମଦ ବିକ୍ରି କରିବାକୁ ସ୍ୱୀକୃତୀପ୍ରାପ୍ତ ମଦ ଦୋକାନ ଖୋଲିଲେ । ଏହାର ତଦାରଖ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଗଲା । ମାତ୍ର ଏହି ଅଧିକାରୀମାନେ ମଦ ଦୋକାନଗୁଡିକ ଯାଞ୍ଚ କରିବା ପରିବର୍ତ୍ତେ ମାସିକିଆ ବଟି ନେଇ ଚୁପ୍ ରହିବା ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏଭଳି ଘଟଣା ରାଜନଗର ବ୍ଲକ ଗୁପ୍ତିଠାରେ ଦେଖିବାକୁ ମିଳିଛି । ଏଠାରେ ଖୋଲଯାଇଥିବା ସରକାରୀ ମଦ ଦୋକାନ ସରକାରଙ୍କ ନିୟମାନୁଯାୟୀ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିବା କଥା । ମାତ୍ର ସବୁ ନିୟମ କାନୁନକୁ ଜଳାଞ୍ଜଳୀ ଦେଇ ଔଷଧ ଦୋକାନ ଭଳି ୨୪ଘଣ୍ଟା ଖୋଲା ରହୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଠାରେ ଖୋଲାଯାଇଥିବା ସରକାରୀ ଠିପିବନ୍ଦ ମଦ ଦୋକାନରେ ଚଢା ଦରରେ ମଦ ବିକି୍ରି ହେଉଥିବା ଅଭିଯୋଗ ହେଉଛି । ଅନ୍ୟପଟରେ ଏହି ମଦ ଦୋକାନ ସମ୍ମୁଖରେ ସରକାରୀ ଧାର୍ଯ୍ୟ ମୂଲ୍ୟ, କେଉଁ କେଉଁ ବ୍ରାଣ୍ଡର ମଦ ରହିଛି, ଷ୍ଟକ ପରିମାଣ ଲେଖା ନଥିବା ଦେଖିବାକୁ ମିଳିଛି । ମଦ ଦୋକାନରେ ବିଅର ବୋତଲ ପିଛା ୨୦ଟଙ୍କା ଅଧିକ, ୧୮୦ମି.ଲି ମଦ ବୋତଲ ପିଛା ୧୦ଟଙ୍କା , ୭୫୦ମିଲି ମଦ ବୋତଲ ପିଛା ୪୦ଟଙ୍କା ଅଧିକ ନେଇ ଗ୍ରାହକମାନଙ୍କୁ ରସିଦ ଦେଉନଥିବା ଅଭିଯୋଗ ହେଉଛି । ଏହି ସରକାରୀ ମଦ ଦୋକାନରେ ଚଢା ଦରରେ ମଦ ଖୁଲୁମଖୁଲା ବିକ୍ରି କରାଯାଉଥିଲେ ମଧ୍ୟ ଅବକାରୀ ବିଭାଗ ଅଧିକାରୀ ତଦନ୍ତ କରିବାକୁ ଯାଉନଥିବା ଅଭିଯୋଗ ହେଉଛି । ଏହି ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି । ଏହି ନକଲି ମଦକୁ ବିଭିନ୍ନ ଗାଁ ଗହଳିରେ ଥିବା ଚୋରା ବେପାରୀଙ୍କୁ କାର୍ଟୁନ କାର୍ଟୁନ ମଦ ବିକ୍ରି କରି ମଦ ମାଫିଆ ମାଲେମାଲ ହେଉଥିବା ବେଳେ ଅବକାରୀ ବିଭାଗ ଅଧିକାରୀ ନୀରବ ରହୁଥିବା ଅଭିଯୋଗ ହେଉଛି । ଏସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।