ବ୍ୟାସନଗରରେ ବିକ୍ରି ହେଉଛି ଅପମିଶ୍ରିତ ମିଠା
ବ୍ୟାସନଗର : ବ୍ୟାସନଗରରେ ଆଉ ମିଲୁନି ସୁସ୍ୱାଦୁ ମିଠା । କଁ ଭାଁ ଗୋଟିଏ ଦୁଇଟି ଦୋକାନୀକୁ ଛାଡି ଦେଲେ ଯେଉଁଠି ଦେଖିବ ଅପମିଶ୍ରିତ ତ ଆଉ କେଉଁଠି ବାହାରୁ ଆମଦାନୀ ମିଠା । ପୂର୍ବରୁ ଦୋକାନରେ ମିସ୍ତ୍ରୀ ନିଜେ ଛେନା ଓ ଖୁଆରୁ ମିଠା ପ୍ରସ୍ତୁତ କରୁଥିଲେ । କିନ୍ତୁ ତାହା ଏବେ ସ୍ୱପ୍ନ ହୋଇଯାଇଛି । ରାଜ୍ୟ ବାହାରୁ ବିଶେଷ କରି ପଶ୍ଚିମବଙ୍ଗରୁ ରଙ୍ଗ ବେରଙ୍ଗରେ ତିଆରି ମିଠା ପେଡା ଏଠାକାର ବହୁ ଦୋକାନରେ ବିକ୍ରି ହେଉଛି । ସେହି ମିଠା ଗୁଡିକ ଆଖିରେ ଦେଖିବାକୁ ଭଲ ଲାଗୁଥାଏ ପାରେ କିନ୍ତୁ ତାହା ସମ୍ପୂଣ୍ଣ ଅପମିଶ୍ରିତ । କିଛି କେମିକାଲ ଓ ବିଷାକ୍ତ ଗୁଣ୍ଡରେ ପ୍ରସ୍ତୁତ ହୋଇଥାଏ;ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ଗୋଟିଏ ଦୁଇଟି ଦୋକାନକୁ ଛାଡିଦେଲେ ଅସଲି ଖୁଆରେ ପ୍ରସ୍ତୁତ ସନେ୍ଦଶ, ପେଡା କିମ୍ବା ମିଠା କୋଉଠି ମିଳୁନାହିଁ । ଅଧିକରୁ ଅଧିକ ଦୋକାନୀ କଲିକତାରୁ ଖୁଆ ଆଣି ଏଠାରେ ମିଠା ତିଆରି କରିଥାନ୍ତି । ଯାହା କେବେ ବି ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ । କାରଣ ଖୁଆ ପ୍ରସ୍ତୁତ ପାଇଁ ଆବଶ୍ୟକ କ୍ଷୀର ଦରକାର ପଡିଥାଏ । ସେହି କ୍ଷୀରକୁ ଘଣ୍ଟା ଘଣ୍ଟା ଧରି ନିଆଁରେ ବସାଇ ଖୁଆ ପ୍ରସ୍ତୁତ କରାଯାଏ । କିନ୍ତୁ ତାହା ପରିବର୍ତ୍ତେ ବାହାର ରାଜ୍ୟରୁ ଅପମିଶ୍ରିତ ଖୁଆ ଅଖା ଜରିରେ ଭର୍ତ୍ତି କରି ଏଠାକୁ ଆସୁଛି । ସେହି ଖୁଆରେ ଟିକିଏ ବି କ୍ଷୀର ଗନ୍ଧ ବାସନା ନଥାଏ । ଖାଲି ଅପମିଶ୍ରିତ ଗୁଣ୍ଡ ଓ ରସାୟନିକ ପଦାର୍ଥରେ ତିଆରି ହୋଇଥାଏ । ରାଜ୍ୟ ବାହାରୁ କିଛି ମିଠା ମିସ୍ତ୍ରୀ ବ୍ୟାସନଗରରେ ରହି ରଙ୍ଗ ବୋଳା ମିଠା ତିଆରି କରି ବିଭିନ୍ନ ଦୋକାନକୁ ଯୋଗାଇଥାନ୍ତି । ସେଥିମଧ୍ୟରୁ ବିଶେଷ କରି ବୁନ୍ଦିଆ ଲଡୁ ମିଠା ଅନ୍ୟତମ । ରଙ୍ଗ ବେରଙ୍ଗର ବୁନ୍ଦିଆ ଲଡୁ ଯାହା ଗ୍ରାହକଙ୍କ ଲୋଭନୀୟ ହୋଇଥାଏ । ତାକୁ ଟ୍ରେ-ମାଧମରେ ସବୁ ଦୋକାନକୁ ଯୋଗାଇଥାନ୍ତି । ବିଭିନ୍ନପୂଜା ପାର୍ବଣରେ ଯେଉଁଠି ଦେଖିବ ସେଠି ଏହି ବୁନ୍ଦି ଲଡୁ ଦେଖିବାକୁ ମିଳିଥାଏ । ଯାହା ପ୍ରକୃତ ଏଠାକାର ମିସ୍ତ୍ରୀଙ୍କ ଦ୍ୱାରା ହାତ ତିଆରି ବୁନ୍ଦିଆ ଲଡୁ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆଗରୁ ଏଠାରେ ପ୍ରସ୍ତୁତ ଛେନା ପୋଡର ବହୁ ଚାହିଦା ରହିଥିଲା । କିନ୍ତୁ ତାହା ଏବେ ଦେଖିବାକୁ ମିଲୁନି । କାଁ ଭାଁ ଗୋଟିଏ ଦୁଇଟି ଦୋକାନକୁ ଛାଡିଦେଲେ ପ୍ରାୟତଃ ସବୁ ବାହାରୁ ନିଜକୁ ପୋଷେଇଲା ଭଳି ଅର୍ଡର କରି ପୋଡ ଆଣିଥାନ୍ତି । ଏହା ଗ୍ରାହକଙ୍କ ଆବଶ୍ୟକତା ମେଣ୍ଟାଇଥାଏ ସତ କିନ୍ତୁ ସ୍ୱାଦ ଓ ଗୁଣବତାର ଉପଲବ୍ଧି ମିଳିନଥାଏ । ମିଠା ଷ୍ଟଲ୍ରେ କାଚ ଭିତରେ ସୁନ୍ଦର ସୁନ୍ଦର ମିଠା ସଜ୍ଜା ଯାଇଥାଏ । କିନ୍ତୁ ଅଧାରୁ ଅଧିକ ମିଠା ବାହାର ପ୍ରସ୍ତୁତ ଓ ଆମଦାନୀର ହୋଇଥାଏ । ଦୋକାନୀ ମାଲିକଙ୍କ ସାମ୍ନାରେ ପ୍ରସ୍ତୁତ ଆଉ ବାହାରୁ ଆସୁଥିବା ମିଠା ଭିତରେ ବହୁତ୍ ଫରକ ରହିଥାଏ ବୋଲି ଗ୍ରାହକମାନେ କହିଥାନ୍ତି । କିନ୍ତୁ ପରିସ୍ଥିତିରେ ପଡି ଆମଦାନୀ ଦ୍ରବ୍ୟକୁ କିଣିଥାଉ ବୋଲି କୁହନ୍ତି । ଖାଦ୍ୟ ମାନ ନିରୀକ୍ଷଣ ବିଭାଗ ହାତଗୁଞ୍ଜା ନେଇ ଖାଲି ଫୁଡ୍ ଲାଇସେନ୍ସ ଟିଏ ଧରାଇ ଦେଉଥିଲେ ହେଁ କେବେ କି ମିଠାର ମାନନିରୁପରଣ କରିବାକୁ ମନ ବଳାନ୍ତିନି । ଅନ୍ୟପକ୍ଷରେ ଦୋକାନୀମାନେ ସଫେଇ ଦେଇ କୁହନ୍ତି ଆମେ ଜାଣି ମଧ୍ୟ ଅଜଣା ହେଉଛୁ । କାରଣ ମିଠା ପ୍ରସ୍ତୁତ ମିସ୍ତ୍ରୀର ଘୋର ଅଭାବ ଦେଖାଦେଇଛି । ବାଧ୍ୟ ହୋଇ ଆମକୁ ଆମଦାନୀ ମିଠା ଉପରେ ନିର୍ଭର କରିବାକୁ ପଡୁଛି । ତେବେ ସ୍ୱାସ୍ଥ୍ୟ ପକ୍ଷେ ହିତକର ହେଉନଥିବା ମିଠା ବା ଅନ୍ୟାନ୍ୟ ଖାଦ୍ୟପଦାର୍ଥର ମାନଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଖାଉଟି ମାନେ ଦାବି କରିଛନ୍ତି ।