ମହିଳାଙ୍କ ଘରୁ ଯୁବକଙ୍କ ଶବ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ଭାଇ
ଆସିକା : ଧରାକୋଟ ଥାନା ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ପଙ୍କଜ ପ୍ରଧାନ, ୩୬ ନାମକ ଜଣେ ମହିଳାଙ୍କ ଘରୁ ଗତ ଶନିବାର ସନ୍ଧ୍ୟାରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଧରାକୋଟ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବାଲିଆସରା ଗ୍ରାମର ବିଜୟ ପୋଲାଇଙ୍କ ପୁତ୍ର ସିମାଞ୍ଚଳ ପୋଲାଇ,୨୬ ।
ମୃତ ସିମାଞ୍ଚଳଙ୍କ ଭାଇ ନିରଞ୍ଜନ ପୋଲାଇ ଧରାକୋଟ ଥାନାରେ ଦେଇଥିବା ଏତଲା ଅନୁଯାୟୀ ତାଙ୍କ ଭାଇ ସିମାଞ୍ଚଳ ଗତ ଶନିବାର ଦିନ ଧାର ଟଙ୍କା ମାଗିବା ପାଇଁ ପୋଡ଼ାପଲି ଯାଉଛି କହି ଘରୁ ବାହାରି ଆସିଥିଲେ । ସନ୍ଧ୍ୟାରେ ଜଣେ ମହିଳା ପଙ୍କଜ ପ୍ରଧାନ ତାଙ୍କୁ ଫୋନ କରି ତାଙ୍କ ଭାଇ ପୋଡ଼ାପଲି ପଙ୍କଜଙ୍କ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାଇଥିଲେ । ହେଲେ ନିରଞ୍ଜନଙ୍କ ଅଭିଯୋଗ ହେଲା ତାଙ୍କ ଭାଇ ସିମାଞ୍ଚଳକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି । ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ୩/୨୦୨୫ ପ୍ରକାରେ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ସଂପୃକ୍ତ ମହିଳାଙ୍କ ସହ ସିମାଞ୍ଚଳଙ୍କ ସମ୍ପର୍କ କଣ? ସିମାଞ୍ଚଳଙ୍କ ଠାରୁ ସେ ଟଙ୍କା ଧାର ଆଣିଥିଲେ କାହିଁକି? ସିମାଞ୍ଚଳଙ୍କ ସହ ତାଙ୍କର ସୁସମ୍ପର୍କ ସୃଷ୍ଟି ହେଲା କିପରି? ରହସ୍ୟ ମଧ୍ୟରେ ରହିଥିବା ଏହି ଆତ୍ମହତ୍ୟା କାହାଣୀ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ଉପଯୁକ୍ତ ତଦନ୍ତ ପରେ ଖୁଲାସା ହେବ ।