୬ ବର୍ଷ ହେବ ବସିନି ପରାମର୍ଶଦାତା ବୈଠକ  ନିଯୁକ୍ତିକୁ ନେଇ ପ୍ରଶ୍ନବାଚୀ


 କେନ୍ଦ୍ରାପଡ଼ା,: କେନ୍ଦୁଝର ଜିଲା ଏକ ଖଣିଖାଦାନଭରା ଓ ଶିଳ୍ପ ସମୃଦ୍ଧ ଜିଲା ହୋଇଥିବାବେଳେ ଗତ ୬ ବର୍ଷ ହେବ ଖଣି ଖାଦାନ ଅଚଳ କାରଣରୁ ଜିଲାରେ ଏକ ନକରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରମିକଙ୍କଠାରୁ ଆରମ୍ଭ କରି ବିଭିନ୍ନ କାରଖାନାରେ କାର୍ଯ୍ୟ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏହି ଅଚଳାବସ୍ଥାକୁ ଦୂର କରିବା ପାଇଁ ସରକାରୀସ୍ତରରେ ଯେତିକି ଆନ୍ତରିକତା ପ୍ରକାଶ କରାଯିବା କଥା ତାହା ହେଉନଥିବାରୁ ସମଗ୍ର କେନ୍ଦୁଝର ଜିଲାରେ ଏହା ବିରୁଦ୍ଧରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । 
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଥଇଥାନ ଓ ପାରିପାଶ୍ୱର୍ିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଗତ ୬ ବର୍ଷ ହେବ ବସିନଥିବାବେଳେ ଏହାଦ୍ୱାରା ବିଭିନ୍ନ ବୃହତ୍ ପ୍ରକଳ୍ପ ଓ କଳକାରଖାନାମାନଙ୍କର ପାରିପାଶ୍ୱର୍ିକ ଉନ୍ନତି ଏବଂ କମ୍ପାନୀ ଦେଇଥିବା ପ୍ରତିଶୃତି ପ୍ରତି ସରକାରୀଙ୍କ ଆନ୍ତରିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ସମୟରେ ଲାଭଖୋର ଓ ମୁନାଫା ଆଶାରେ ବିଭିନ୍ନ ଅନ୍ତର୍ଦେଶୀୟ କମ୍ପାନୀମାନେ କେନ୍ଦୁଝର ଜିଲାରେ ଉକୃଷ୍ଟମାନର ଲୁହାପଥର ଉପରେ ଲୋଲୁପଦୃଷ୍ଟି ପକାଇ ଏଠାରେ ବ୍ୟବସାୟର ପସରା ମେଲାଇଥିବାବେଳେ ଏହି ଆର୍ପିଡିଏସି ବୈଠକ ନିୟମିତ ହେଉନଥିବା ସେମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । କାରଖାନାମାନଙ୍କର ନିଯୁକ୍ତି ସୁବିଧା ସାଙ୍ଗକୁ ନୂତନ କାରଖାନା ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ, ଜମି ଦେଇଥିବା ପ୍ରଜାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ, ବିଭିନ୍ନ ବୃହତ୍ ଜଳସେଚନ ପ୍ରକଳ୍ପ ପାଇଁ ଜମି ଦେଇଥିବା ସାଧାରଣ ଲୋକଙ୍କର ହିତ ସଂପର୍କରେ କରିଥିବା ସିଏସ୍ଆର୍ କାର୍ଯ୍ୟ ଏହି ଆର୍ପିଡିଏସି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥାଏ । ଆର୍ଡିସିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଜିଲାପାଳ,ବରିଷ୍ଠ ସରକାରୀ ଅଧିକାରୀ, କମ୍ପାନୀ କର୍ତ୍ତୃପକ୍ଷ ବିସ୍ଥାପିତ ଜନସାଧାରଣମାନେ ଯୋଗ ଦେଉଥିବାବେଳେ ଗତ ୬ ବର୍ଷ ଧରି ଏହି ବୈଠକ ହୋଇନଥିବା କାରଣରୁ ଭୂମି ହରାଇ ବାସ୍ତୁହରା ହୋଇଥିବା ସାଧାରଣ ଲୋକେ ଏବେ ମନସ୍ତାପ ଦେଇ ଦିନ କାଟୁଥିବା ଜଣାପଡିଛି । ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧିନରେ ଥିବା କେନ୍ଦୁଝର ଜିଲାରେ ଏହି ବୈଠକ ନହେବା ପଛରେ ଅନେକଗୁଡିଏ କାରଣ ରହିଥିବାବେଳେ ଏହାକୁ ତର୍ଜମା କରିବା ପରିବର୍ତ୍ତେ ପ୍ରତି ତିନିମାସ ଅନ୍ତରରେ ଆର୍ପିଡିଏସି ବୈଠକ ଅନୁଷ୍ଠିତ କରାଇ ପ୍ରତିଶୃତି ଖିଲାପ କରୁଥିବା କମ୍ପାନୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ମନେ ହୁଏ ବୋଲି ଦାବି ହୋଇଛି । କେନ୍ଦୁଝର ଜିଲାରେ ଟାଟା, ବଲାଣି ଆର୍ଏମ୍ଡି ଡିଭିଜନ, ରୁଙ୍ଗଟା,ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପରି ଦେଶର ପ୍ରତିଷ୍ଠିତ ଖଣି କମ୍ପାନୀମାନେ ବ୍ୟବସାୟ କରୁଥିବାବେଳେ ସେମାନେ କେତେଦୂର ପାରିପାଶ୍ୱର୍ିକ ଉନ୍ନତି ଠିକଣା ଢଙ୍ଗରେ କରୁଛନ୍ତି ସେଥିପ୍ରତି ଏହି ଆର୍ପିଡିଏସି ବୈଠକ ଧ୍ୟାନ ଦେବା ବଦଳରେ ବୈଠକ ନହେବା ସଂପୂର୍ଣ୍ଣ ଜନବିରୋଧି ବୋଲି ମତପୋଷଣ ହୋଇଛି । 
ଶେଷ ଥର ପାଇଁ ଗତ ୨୦୧୮ ମସିହା ମେ ମାସ ୨୩ ତାରିଖରେ କାନପୁର ବୃହତ ଜଳସେଚନ ପ୍ରକଳ୍ପ ଏବଂ ୨ଟି ଶିଳ୍ପସଂସ୍ଥାକୁ ନେଇ ଥଇଥାନ ଓ ପାରିପାଶ୍ୱର୍ିକ ଉନ୍ନୟନ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କାନପୁର ବୃହତ ଜଳସେଚନ ପ୍ରକଳ୍ପର ପଞ୍ଚମ ଥଇଥାନ ଓ ପାରିପାଶ୍ୱର୍ିକ ଉନ୍ନୟନ ଉପଦେଷ୍ଟା କମିଟିର ବୈଠକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଅଧ୍ୟକ୍ଷତାରେ ଜିଲାପାଳ, ଥଇଥାନ ଓ ପୁର୍ନବସତି ନିଦେ୍ର୍ଦଶକ,ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଏବଂ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଶିଳ୍ପ ସଂସ୍ଥା ଦ୍ୱାରା ଜମି ଅଧିଗ୍ରହଣ,କ୍ଷତିପୂରଣ,କ୍ଷତିଗ୍ରସ୍ତ ପରିବାର ଥଇଥାନ, ପ୍ରଭାବିତ ଅଞ୍ଚଳର ପାରିପାଶ୍ୱିର୍କ ଉନ୍ନୟନ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଯୋଗାଣ, ପରିବେଶ, ବିଦ୍ୟୁତ ଯୋଗାଣ ଓ ଆଲୋକ ବ୍ୟବସ୍ଥା, ଯୁବକ ଯୁବତୀ ମାନଙ୍କର ତାଲିମ ଓ ଦକ୍ଷତା ବୃଦ୍ଧି,ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ଓ ମହିଳା ସଶକ୍ତିକରଣ, କ୍ଷତିଗ୍ରସ୍ତ ପରିବାରର ନିଯୁକ୍ତି, ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି, ବୈଷୟିକ ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନା ସ୍ଥାପନ ତଥା ଅନ୍ୟାନ୍ୟ ପାରିପାଶ୍ୱିର୍କ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ରାଜସ୍ୱ କମିଶନର ସମୀକ୍ଷା କରାଯାଇଥାଏ । ଏହି ଦିଗ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପାରିପାଶ୍ୱର୍ିକ ଉନ୍ନୟନ ଉପଦେଷ୍ଟା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିବା ସହ ପ୍ରତି ତିନିମାସରେ ଏହାର ନିୟମିତ ବୈଠକ କରିବା ଓ ଖଣି ଏବଂ ଶିଳ୍ପ ଅଞ୍ଚଳରେ ପ୍ରଭାବିତ ଲୋକଙ୍କ ପାଇଁ ଆନ୍ତରିକତା ସହକାରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ  ମତବ୍ୟକ୍ତ କରିଛନ୍ତି । ଏ ନେଇ ଉତ୍ତରାଞ୍ଚଳ  ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି ଙ୍କ ସହ ଯୋଗଯୋଗ କରିବାରୁ ତୁରନ୍ତ ଏହି ବୈଠକ କରିବାକୁ ଜିଲ୍ଲାପଳଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଲାପାଳ ଆରପିଡିଏସିର ମେମ୍ବର କନଭେନର ହୋଇଥିବାରୁ ବୈଠକ ଡାକିବାକୁ କୁହାଯିବ । ସୂଚନାଯୋଗ୍ୟ ଯେ, ଶିଳ୍ପସଂସ୍ଥା ମାନଙ୍କର ପାରିପାର୍ଶିକ କାମ ଆରପିଡିଏସି ବୈଠକ ହେଉନଥିବାରୁ ସମୀକ୍ଷା ହୋଇପାରୁନାହିଁ । ଫଳରେ ଏହାର ସୁଯୋଗ ନେଇ କମ୍ପାନୀମାନେ ମିଛ ରିପୋର୍ଟ ଦେଉଥିବା ନେଇ ପ୍ରଭାବିତ ଗ୍ରାମବାସୀମାନେ ଅଭିଯୋଗ କରି ଆସୁଛନ୍ତି ।