ବରିଷ୍ଠ ନିର୍ଯାତନା ସଚେତନତା ଦିବସ

 ଯାଜପୁର ଟାଉନ: ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ମଧୁବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ୱ ବରିଷ୍ଠ ଶୋଷଣ ସଚେତନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦ ସଭାକୁ ଉଦ୍ଘାଟନ କରିଥିଲେ । ଅତିଥି ଆଲୋଚକ ଭାବେ ସିଭିଲ୍ କୋର୍ଟ ରେଜିଷ୍ଟାର ମାନସ ରଞ୍ଜନ ସାମନ୍ତରାୟ, ରସୁଲପୁର ବିଡ଼ିଓ ସତ୍ୟନାରାୟଣ ଦାଶ, ତହସିଲଦାର୍ ସିଦ୍ଧାର୍ଥ ବେହେରା ଯୋଗ ଦେଇ ବରିଷ୍ଠ ଓ ବାପା ମା ସଦାକାଳେ ପୂଜ୍ୟ, ସେମାନେ ଅନୁଭୂତି ସମ୍ପନ୍ନ ସେମାନଙ୍କ ଜ୍ଞାନ ଓ ଅଭିଜ୍ଞତାକୁ ବ୍ୟବହାର କଲେ ପରିବାର ଓ ସମାଜରେ ମଧୁର ସମନ୍ୱୟ ସଂଗଠିତ ସ୍ଥାପିତ ହୋଇ ଫଳଦାୟୀ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି କହିଥିଲେ । ବରିଷ୍ଠ ନାଗରିକ ଆଇନ ୨୦୦୭ର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରାଯାଇଥିଲା । ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସମାଜିକ କାର୍ଯ୍ୟକର୍ତ୍ତା ଡ଼.ରୁଦ୍ରନାରାୟଣ ପୃଷ୍ଟି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ଭାରପ୍ରାପ୍ତ ସଚୀବ ଲୋପାମୁଦ୍ରା ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଜିତେନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ । ଦିବସ ମହତ୍ତ୍ୱ୍ୱ ଆଧାରିତ କଣ୍ଠ ସଙ୍ଗୀତ ପାୟଲ ପଣ୍ଡା ଗାନ କରିଥିବା ବେଳେ ବାପା ମାଆ ବରିଷ୍ଠ ମାନଙ୍କ  ଉଦେ୍ଦଶ୍ୟରେ  ସଚେତନତାଧର୍ମୀ ସ୍ୱରଚିତ କବିତା ପ୍ରଦୀପ ସାମଲ, ପ୍ରତାପରୁଦ୍ର ପଣ୍ଡା ଓ ସନ୍ତୋଷ ପାଢ଼ୀ ଆବୃତ୍ତି କରିଥିଲେ ।ସଚେତନତା ସଭାରେ ରସୁଲପୁର ବ୍ଲକ୍ ଅଞ୍ଚଳର ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଘଡ଼ାଇ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସମ୍ପାଦକ କୀର୍ତ୍ତନ ବିହାରୀ ସାହୁଙ୍କ ସମେତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଧିକରଣ କର୍ମଚାରୀ ସହଯୋଗ କରିଥିଲେ ।