କାଗଜକଲମରେ ସୀମିତ ରାଜନଗର ବିକାଶ
ରାଜନଗର : ରାଜନଗର ନିର୍ବାଚନ ମଣ୍ଡଳୀ ବିଭିନ୍ନ ସମସ୍ୟାରେ ବୁଡି ଯାଇଛି । ବିକାଶ କେବଳ କାଗଜକଲମରେ ସୀମିତ ରହିଛି । ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ କ୍ଷେତ୍ରରେ ବହୁ ସମସ୍ୟା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ୱାଧିନ ବିଧାୟକ ପ୍ରାର୍ଥୀ ମନୋଜ କୁମାର ରାଉତ କହିଛନ୍ତି । ଏହି ସମସ୍ୟାଗୁଡିକ ଦୀର୍ଘବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଛନ୍ତି । ରାଜନଗର ବ୍ଲକ ସାନବଡଗୋପାଳପୁରସ୍ଥିତ ନିଳାଦ୍ରୀ ବିହାରୀ ମଣ୍ଡପରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ଶ୍ରୀ ରାଉତ କହିଥିଲେ ଯେ, ନିର୍ବାଚନ ମଣ୍ଡଳୀରେ ହାତଗଣତି ପଞ୍ଚାୟତକୁ ଛାଡି ଦେଲେ ଅନ୍ୟ ପଚାଂୟତଗୁଡିକରେ ଜଳସେଚନର ସୁବିଧା ନାହିଁ । ଚାଷୀଟି ଚାଷ କାର୍ଯ୍ୟ କରିବା ପାଇଁ ଇନ୍ଦ୍ରଙ୍କ ଦୟା ଉପରେ ନିର୍ଭର କରିଥାଏ । ବର୍ଷାଜଳ ଉପରେ ନିର୍ଭର କରି ଚାଷୀ ଧାନଚାଷ କରିଥାଏ । ମଣ୍ଡି ବ୍ୟବସ୍ଥାରେ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଆବଶ୍ୟକୀୟ ଡାକ୍ତର ନାହାନ୍ତି । ବିଦ୍ୟାଳୟଗୁଡିକରେ ଶିକ୍ଷକଙ୍କ ଅଭାବ ରହିଛି । ଉଠାସେଚନ ନାଁରେ କୋଟିକୋଟି ଟଙ୍କା ହରିଲୁଟ୍ ହେଉଛି । ଗୋଟିଏ ବି ଉଠାଜଳସେଚନ ପଏଟଂ କାର୍ଯ୍ୟକ୍ଷମ ନାହିଁ । ଦୁଇଟି ବ୍ଲକରେ ଶୀତଳ ଭଣ୍ଡାରଟିଏ ନାହିଁ । ଏହି ସମସ୍ୟାଗୁଡିକୁ ଲୋକଲୋଚନକୁ ଆଣିବା ପାଇଁ ମୁଁ ସ୍ୱାଧିନ ପ୍ରାର୍ଥୀ ହୋଇଛି । ପୂର୍ବରୁ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ସାରିଛି । ନିର୍ବାଚନ ମଣ୍ଡଳୀର ଭୋଟରମାନେ ମୋତେ ଯଦି ନିର୍ବାଚିତ କରନ୍ତି, ନିଶ୍ଚିତ ଭାବେ ଏହି ସମସ୍ୟାଗୁଡିକ ସମାଧାନ କରିବାକୁ ଚେଷ୍ଟା କରିବି ବୋଲି କହିଥିଲେ ।