ଅନିଶ୍ଚିତତା ମଧ୍ୟରେ ପିଜି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
କେନ୍ଦ୍ରାପଡ଼ା, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ରେ ୨୦୨୨ ରୁ ବିଭିନ୍ନ ବିଷୟରେ ପିଜି କ୍ଲାସ ଖୋଲିଥିଲେ ମଧ୍ୟ ଶିକ୍ଷାଦାନ, ପାଠ୍ୟ ବିଷୟ ଚୟନ ତଥା ଅନ୍ୟାନ୍ୟ ପରିଚାଳନା ଗତ ସମସ୍ୟାକୁ ନେଇ ଛାତ୍ର ଅଶାନ୍ତି ବଢିବାରେ ଲାଗିଛି । ଏନେଇ ପିଜି କ୍ଲାସରେ ଅଧ୍ୟୟନ କରୁଥିବା କେତେକ ଛାତ୍ରଛାତ୍ରୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟି ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିବା ସହ ଉଚ୍ଚତର ଶିକ୍ଷାଲାଭ କରୁଥିବା ଏହି ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ମାନ ବଜାୟ ରଖିବା ପାଇଁ ଦାବି ଜଣାଇଛନ୍ତି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ରେ ୨୦୧୭ ମସିହାରୁ ସୋସିଓଲୋଜି ରେ ପିଜି କ୍ଲାସ ଖୋଲିଥିବା ବେଳେ ଅନ୍ୟ ୧୪ଟି ବିଭାଗରେ ପିଜି କ୍ଲାସ ୨୦୨୨ ମସିହାରେ ଖୋଲିଛି । ତେବେ ସମୁଦାୟ ପିଜି କ୍ଲାସରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ଭବିଷ୍ୟତ ସଂପୂର୍ଣ୍ଣ ଅନିଶ୍ଚିତ ହୋଇ ପଡିଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିୁଛନ୍ତି । ବର୍ଷକୁ ପ୍ରାୟ ୫୦ ହଜାର ଟଙ୍କା ପିଜିରେ ପଢିବା ପାଇଁ କଲେଜକୁ ଦେଉଥିବା ବେଳେ ୩ ବର୍ଷ ହେଲା ଠିକ୍ ଭାବରେ ପାଠପଢା ନହେବା, ଆଡମିଟ୍ କାର୍ଡ ନମିଳିବା ଏବଂ ଭବିଷ୍ୟତରେ ପ୍ରମାଣପତ୍ର ନମିଳିବା ଭଳି ଆଶଙ୍କା ଦେଖା ଦେଇଛି । ପିଜି ଖୋଲିଥିବା ୧୪ଟି ବିଭାଗର ଅନୁମୋଦନ ନଥିବାରୁ ଛାତ୍ରଛାତ୍ରୀ ମାନେ ନିଜର ଭବିଷ୍ୟତକୁ ନେଇ ଆଶଙ୍କିତ ହୋଇ ପଡିଛନ୍ତି । ନିୟମିତ କ୍ଲାସ ନହେବା ଏବଂ +୩ ଖାତା ଦେଖିବା ପାଇଁ ପିଜି ଛାତ୍ରଛାତ୍ରୀ ମାନଙ୍କୁ ନିୟୋଜିତ କରିବା ଆଦି ଘଟଣାରୁ ବିଶୃଙ୍ଖଳା ସ୍ପଷ୍ଟ ଜଣା ପଡିଯାଉଛି । ତେବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଓ ଇନ୍ଦୁପୁର ସ୍ଥିତ ବିରୂପା ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଦାୟିତ୍ୱରେ ଜଣେ ବ୍ୟକ୍ତି ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ସମସ୍ୟା ସମାଧାନ ପାଇଁ ପର୍ଯ୍ୟାପ୍ତ ସମୟ ଦେଇ ହେଉନାହିଁ ବୋଲି ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଜିଲ୍ଲପାଳ ମୟୂର ବିକାଶ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ଭେଟିଥିବା ଛାତ୍ରଛାତ୍ରୀ ଈଶ୍ୱର ଦାଶ, ବିକାଶ ମହାରଣା, ପ୍ରଜ୍ଞା ପରମିତା ବଳ, ଶୁଭଶ୍ରୀ ଦାସ, ସୈାଭାଗ୍ୟ ଦାସ, ଦେଶଦିପ ଦାସ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।