ଜାଲିଆନାୱାଲା ବାଗ ହତ୍ୟାକାଣ୍ଡରୁ କମ ନଥିଲା କୁଦୋପାଲି ଘଟଣା : ଧର୍ମେନ୍ଦ୍ର
ଭୁବନେଶ୍ୱର : ସମ୍ବଲପୁରର କୁଦୋପାଲିଠାରେ ଇଂରେଜମାନଙ୍କ ସହ ଲଢି ଗୋଟିଏ ଦିନରେ ୫୩ଜଣ ସଂଗ୍ରାମୀ ସହିଦ୍ ହୋଇଥିଲେ । ଏହି ଘଟଣାକୁ ନେଇ ଏବେ ଏକ ପୁସ୍ତକ ଉନ୍ମୋଚିତ ହୋଇଛି । ନ୍ୟାସନାଲ ବୁକ୍ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟିର ନାମ ରହିଛି ‘ଦି ସାଗା ଅଫ୍ କୁଦୋପାଲି, ଦି ଅନସଙ୍ଗ୍ ଷ୍ଟୋରୀ ଅଫ୍ ୧୮୫୭' । ଏହି ପୁସ୍ତକଟି ତପସ୍ୱିନୀ ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ନ୍ୟାସନାଲ ବୁକ୍ ଟ୍ରଷ୍ଟର ନିଦେ୍ର୍ଦଶକ ପ୍ରମୁଖ ଉପସ୍ଥିତ ଥିଲେ । ‘ଦି ସାଗା ଅଫ୍ କୁଦୋପାଲି, ଦି ଅନସଙ୍ଗ୍ ଷ୍ଟୋରୀ ଅଫ୍ ୧୮୫୭' ପୁସ୍ତକଟି ଆଜି ଇଂରାଜୀ ଭାଷାରେ ଉନ୍ମୋଚିତ ହୋଇଛି । ଖୁବଶୀଘ୍ର ଏହା ଓଡ଼ିଆ, ହିନ୍ଦି ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଆସିବ ।
ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୧୮୫୭ର ସମ୍ବଲପୁର କୁଦୋପାଲି ଘଟଣା କୌଣସି ଗୁଣରେ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଘଟଣାଠାରୁ କମ ନଥିଲା । ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ପରେ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ସମ୍ବଲପୁର ମାଟିରେ ସଂଗଠିତ ଏହି କୁଦୋପାଲି ମହାସଂଗ୍ରାମରେ ଖିଣ୍ଡା, କୁଲାବିରା, ଘେଁସ, ଲଖନପୁର ଆଦି ଅଞ୍ଚଳର ଅନେକ ପରିବାର ସଂଗ୍ରାମରେ ତ୍ୟାଗ ଓ ବଳିଦାନ ଦେଇଛନ୍ତି । ମାତ୍ର ଏହି ଇତିହାସ ଅନେକଙ୍କ ପାଇଁ ଅଜଣା ଥିଲା । ଗତବର୍ଷ ଡିସେମ୍ବର ୩୦ରେ କୁଦୋପାଲିଠାରେ ‘ବୀର ଛବିଳ ସାଏ ସ୍ମୃତି କମିଟି’ ପକ୍ଷରୁ ବୀର ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଏହି ବିଷୟରେ ସେ ଅବଗତ ହେବା ସହ କୁଦୋପାଲିର ଇତିହାସ ଉପରେ ଗବେଷଣା ସହ ତାହାକୁ ପୂର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ପାଇଁ ଆଇସିଏଚ୍ଆର୍ ଓ ଏନ୍ବିଟିକୁ ଦାୟିତ୍ୱ ଦେଇଥିଲେ । ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । ସେହି କ୍ରମରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । କୁଦୋପାଲିର ବୀରମାନଙ୍କ ସ୍ମୃତିରେ ଏଭଳି ଏକ ଐତିହାସିକ ପୁସ୍ତକ ସଙ୍କଳନ ଓ ପ୍ରକାଶନ ପାଇଁ ନ୍ୟାସନାଲ ବୁକ୍ ଟ୍ରଷ୍ଟ ଏବଂ ଆଇସିଏଚ୍ଆର ଏବଂ ପୁସ୍ତକ ପ୍ରକାଶନ କରିବାରେ ସହଯୋଗୀ ହୋଇଥିବା ସମସ୍ତଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ଦିନରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏନ୍ବିଟି ତରଫରୁ ଆୟୋଜିତ ହେଉଥିବା ସର୍ବବୃହତ ପୁସ୍ତକ ମେଳା ଅବସରରେ ଲୋକାର୍ପିତ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ କରିବା ପାଇଁ ଯୋଜନା ରହିଛି । ପୁସ୍ତକଟିକୁ ଓଡ଼ିଆ ସମେତ ୧୦ଟି ପ୍ରମୁଖ ଭାରତୀୟ ଭାଷାରେ ପ୍ରକାଶିତ କରିବା ପାଇଁ ଏନ୍ବିଟିକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ଦେବ୍ରୀଗଡ଼ ସହ ଥିବା ସମ୍ପର୍କ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ସମ୍ବଲପୁର କାନ୍ତି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ଓଡ଼ିଶାରେ ଏମିତି କେଉଁ ଜିଲ୍ଲା ନାହିଁ ଯେଉଁ ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମର ଇତିହାସ ଓ ପ୍ରେରଣାର କାହାଣୀ ନଥିବ । ଆଉ ପ୍ରାୟ ଦୁଇ ବର୍ଷରେ ସମ୍ବଲପୁର କ୍ରାନ୍ତିର ୨୦୦ ବର୍ଷ ପୂର୍ତ୍ତି ପାଳନ ହେବ । ଏବେଠାରୁ ଆମ ମାଟିର ସଂଘର୍ଷ ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ପଡିବ । ଏହି ବୀର ଶହୀଦମାନଙ୍କ ତ୍ୟାଗ, ନିଷ୍ଠା ଓ ପରାକ୍ରମ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଶିକ୍ଷା ମନ୍ତ୍ରୀ କହିଥିଲେ ।