ପୁରୀକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା:  ‘ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ’କୁ ବର୍ଜନ କର : ଧର୍ମେନ୍ଦ୍ର

ଭୁବନେଶ୍ୱର  : ପବିତ୍ର ରଥଯାତ୍ରାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ବାର୍ତ୍ତା ଜାରି କରି ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ତଥା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ସାମଗ୍ରୀକୁ ବର୍ଜନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି  । ଏହି ସଚେତନତା ବାର୍ତ୍ତାରେ ପ୍ରଧାନ କହିଛନ୍ତି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ଅବସର ହେଉଛି ରଥଯାତ୍ରା  । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି  । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଘୋଷଯାତ୍ରାକୁ ଭବ୍ୟ ଭାବରେ ପାଳନ କରିବା ପାଇଁ କାମରେ ଲାଗିଛନ୍ତି  ।  ରଥଯାତ୍ରାରେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ ଦେଉଳର ରନô ସିଂହାସନ ଛାଡି ବଡଦାଣ୍ଡକୁ ଆସିବେ  । ମହାପ୍ରଭୁଙ୍କ ସହ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ରଥରେ ଭକ୍ତମାନଙ୍କୁ ଦର୍ଶନ ଦେବେ  । ଚତୁର୍ଦ୍ଧାମୂରତିଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ପୁରୀ ଆସିବେ  । ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଜନସାଧାରଣ ଓ ପର୍ଯ୍ୟଟକମାନେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ଅଧିକ ବ୍ୟବହାର କରିଥାନ୍ତି  । ଭକ୍ତମାନେ ଭୋଗ ଓ ଫୁଲ ପାଇଁ ପଲିଥିନ, ପାଣି ବୋଟଲ, ପାଣି ଗ୍ଲାସ ଏବଂ ଖାଦ୍ୟ ସାମଗ୍ରୀ ନେବା ପାଇଁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଆଦିର ବ୍ୟବହାର କରିଥା’ନ୍ତି  । ଏହା ଦ୍ୱାରା ପୁରୀ ବଡଦାଣ୍ଡ ଦୂଷିତ ହେବା ସହ ପ୍ରଦୂଷଣର ପ୍ରଭାବ ସ୍ଥାନୀୟ ପରିବେଶ ଉପରେ ପଡିଥାଏ  ।  ଗୋ-ମାତା, ପଶୁ ପକ୍ଷୀ ଏହାର ପ୍ରତ୍ୟକ୍ଷ ଶୀକାର ହୁଅନ୍ତି  । ସମୁଦ୍ର, ପୋଖରୀ, ନାଳ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ  । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ହୋଇଛି  । ଯେତେବେଳେ “ଆମେ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା”ର କଳ୍ପନା କରୁଛେ, ସେହି ସମୟରେ ଏହା ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହେଉଛି  । ଭାରତ ସରକାର ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀକୁ ବନ୍ଦ କରିବା ପାଇଁ ବିହିତ ପଦକ୍ଷେପ ନେଉଛନ୍ତି  । ପୂଜ୍ୟ ଗାନ୍ଧିଜୀଙ୍କ ଆଗ୍ରହର ବିଷୟ ଥିଲା - ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଜୀବନ ସୁରକ୍ଷା  । ଏହି ତିନୋଟି ଲକ୍ଷ୍ୟକୁ ହାସଲ କରିବା ପାଇଁ ହେଲେ ଆମକୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ହେବ କହିଛନ୍ତି  ।