ଧିମାନଙ୍କୁ ଲାଞ୍ଚୁଆ କରିଥିବା ବରିଷ୍ଠ ଆଇଏଏସ୍ କିଏ?

ଧିମାନଙ୍କୁ ଲାଞ୍ଚୁଆ କରିଥିବା ବରିଷ୍ଠ ଆଇଏଏସ୍ କିଏ?

 ଭୁବନେଶ୍ୱର: ନୂଆ ଚାକିରୀ ବେଳେ କୁଆଡ଼େ ରକ୍ତ ଗରମ ଥାଏ  । ଲାଞ୍ଚପେଞ୍ଚ ଅପେକ୍ଷା ସମସ୍ତେ କର୍ମମନସ୍କ ହୋଇଥା’ନ୍ତି  । କର୍ମତତ୍ପରତା ଓ ଅଭିନବ ଅଭୀପ୍ସା ବି ସ୍ୱାଭାବିକ ଭାବେ ପରିଲକ୍ଷିତ ହୋଇଥାଏ  । ହେଲେ ୨୦୨୧ ବ୍ୟାଚର ଆଇଏଏସ ଧିମାନ ଚକମା ଏମିତି କାହିଁକି କଲେ ? ଅନେକ ଆଇଏଏସଙ୍କ ମୁଣ୍ଡକୁ ତଳକୁ କାହିଁକି କରିଦେଲେ ? ଏହି ପ୍ରଶ୍ନ ଏବେ ପାୱାର କରିଡ଼ରରେ ଉଙ୍କି ମାରୁଛି  । 
ଗତବର୍ଷ ଜାନୁଆରୀ ୨୨ରେ ସେ ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ  । ସେ ଓଡ଼ିଶା କ୍ୟାଡ଼ର ଆଇଏଏସ ହୋଇଥିଲେବି ଘର ହେଉଛି ତ୍ରିପୁରା  । ସାଧାରଣତଃ ସେମାନଙ୍କ ପାଖକୁ ଦଲାଲ, ଟାଉଟର ବାଜିବା ଏତେ ସହଜ ହୋଇନଥାଏ  । କାହିଁକିନା ନୂଆ ଚାକିରୀ ହୋଇଥିବାରୁ ନେତା ଓ ମନ୍ତ୍ରୀଙ୍କ ସହ ସେଭଳି ଭଲ ସମ୍ପର୍କ ବି ନଥାଏ  । ସମ୍ପର୍କ କେବଳ ପ୍ରଶାସନିକ କାର୍ଯ୍ୟ ଭିତରେ ହିଁ ସୀମିତ କହିଲେ ଭୁଲ୍ ହେବନାହିଁ  । କିନ୍ତୁ ଧିମାନଙ୍କ ପାଖକୁ ଜଣେ କ୍ରସର ମାଲିକ ସିଧାସଳଖ ପହଁଚିଲେ କେମିତି ? ଆଜିକାଲି କିରାଣୀଟେ ବି ବେଶ୍ ଚାଲାକିରେ ଟଙ୍କା ନେଉଛି  । ନିଜେ କ୍ୟାସ୍ ନଧରି ନିଜର ଏକ ବିଶ୍ୱସ୍ତ ଲୋକ ଜରିଆରେ ହିଁ ନେଉଛି  । ଯାହାଫଳରେ ଭିଜିଲାନ୍ସ ଚଢ଼ାଉର ସମ୍ଭାବନା ବି ନଥିବ  । ଜିଲ୍ଲାପାଳ ହୁଅନ୍ତୁ କି ଉପ ଜିଲ୍ଲାପାଳ ଅବା ହୁଅନ୍ତୁ ବିଡ଼ିଓ ପିସି ସମସ୍ତେ ନେଉଛନ୍ତି  । ସାରା ଓଡ଼ିଶା ଜାଣିଛି, କେଉଁ କେଉଁ ବାଟରେ ଏହି ବଡ଼ବାବୁଙ୍କ ପକେଟ ଗରମ ହୋଇଥାଏ  । ଉଦାହରଣ ସ୍ୱରୂପ, ଠିକାଦାରଙ୍କ ଠାରୁ ଜେଇ ପିସି ନିଏ  । ସେଇ ପିସିରୁ ଅଧ୍ୟକ୍ଷ ଓ ବିଡ଼ିଓଙ୍କୁ ଦେଇଥାଏ  । ନେତା ଓ ମନ୍ତ୍ରୀଙ୍କ ପାଖକୁ ବି କିଛି କିଛି ମାଲ୍ପାଣି ଯାଏ  । ବିଡ଼ିଓମାନେ ସେହି ଟଙ୍କାରୁ କିଛି ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳଙ୍କୁ ଦେଇଥା’ନ୍ତି  । ସେମିତି ହାବିଲଦାର ନିଜ ଥାନା ଏରିଆର ହୋଟେଲ, ବାର, ମଦ ଦୋକାନ, ପଥର ଖଣି ଆଦିରୁ ଲାଞ୍ଚ ନିଅନ୍ତି  । ସେଇ ଟଙ୍କା ଥାନାରେ ବାଣ୍ଟକୁଣ୍ଟ ହୁଏ, ଆଇଆଇସି ମାସିକିଆ ଟଙ୍କାରୁ କିଛି ଏସପି ଓ ଅନ୍ୟ ଅଧିକାରୀଙ୍କୁ ଦିଅନ୍ତି  । ଆଜିକାଲି ଏମିତି ଧରାବନ୍ଧା ସିଷ୍ଟମ ଚାଲିଛି  । ବୋଧହୁଏ ସେଥିପାଇଁ ସେତେବେଳେ ହରେକୃଷ୍ଣ ମହତାବ କହିଥିଲେ, ଦୁର୍ନୀତିକୁ ନୀତି କରିଦେଲେ ଭଲ ହୁଅନ୍ତା  । 
ଏସବୁ ଉଲ୍ଲେଖ କରିବାର କାରଣ ହେଉଛି, ଧିମାନ କ’ଣ ଏତେ ବୋକା ଥିଲେକି ? ଉପଜିଲ୍ଲାପାଳ ହୋଇ ସିଧାସିଧା କ୍ରସର ମାଲିକ କିମ୍ବା ଅନ୍ୟ ଟାଉଟର ଓ ଦଲାଲଙ୍କ ସହ କିଭଳି ଡିଲ କଲେ ? ଏମିତି ହୋଇଥିବ ବୋଲି ଭାବିବି ହେଉନାହିଁ  । ପାୱାର କରିଡ଼ରରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, କ୍ରସର ମାଲିକଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ବରିଷ୍ଠ ଆଇଏଏସ ଅଫିସର ହିଁ ଧିମାନଙ୍କୁ ପରାମର୍ଶ ଦେଇଥିଲେ  । ସେହି ବାବୁ ପୂର୍ବରୁ ସେହି ଜିଲ୍ଲାରେ ବାବୁଗିରି କରୁଥିଲେ  । କ୍ରସର ମାଲିକ ହୁଅନ୍ତୁ କି ଅନ୍ୟ ଠକ, ଦଲାଲ, ଟାଉଟର ଅବା ବେଆଇନ୍ ବେପାର କରୁଥିବା ଲୋକଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା  । ଉଚ୍ଚପଦସ୍ଥ ଅଧିକାରୀଙ୍କ କଥାରେ ଧିମାନ ସିଧାସିଧା ଟଙ୍କା ନେବାକୁ ସାହାସ ରଖିଥିଲେ  । ଆଗରୁ ବି ସେମିତି ନେଇଥିଲେ ବୋଲି ତାଙ୍କ ଘରେ ଟଙ୍କା ଗଚ୍ଛିତ କଲା ? ନହେଲେ ଭାବୁନାହାନ୍ତି ଜଣେ ଆଇଏଏସ ଅଫିସର ସିଧା ଲାଞ୍ଚ ନେଇ ନିଜ ଘରେ କାହିଁକି ରଖିଥା’ନ୍ତେ  । ବିଶ୍ୱସ୍ତ ସହଯୋଗୀଙ୍କ ବେପାରରେ ସାହାଯ୍ୟ କରିବା କ୍ଷେତ୍ରରେ ହିଁ ଏମିତି ହୋଇଥାଏ  । ହେଲେ ଧିମାନ କିନ୍ତୁ ଫସିଗଲେ  । ସେଇ ଟଙ୍କାରୁ କିଛି ସେହି ବରିଷ୍ଠ ଆଇଏଏସଙ୍କ ପାଖକୁ ବି ଯାଇଥା’ନ୍ତା  । ବଣ୍ଟାକୁଣ୍ଟା ହୋଇନଥିବାରୁ ନିଜ ଭାଗ ଟଙ୍କାକୁ ଧିମାନ ଅନ୍ୟ ଯାଗାକୁ ନପଠାଇ ନିଜ ପାଖରେ ରଖିଥିଲେ  । ସଂପୃକ୍ତ କ୍ରସର ମାଲିକ ବିଶ୍ୱାସରେ ବିଷ ଦେଇଦେଲେ  । ଯାହା ଏବେ ଧିମାନଙ୍କ ନିଦ ଯେମିତି ହଜାଇ ଦେଇଛି, ସେହି ବରିଷ୍ଠ ଆଇଏଏସ ଅଫିସରଙ୍କ ନିଦ ବି ସେମିତି ହଜିଯାଇଛି  । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ  । ହେଲେ କ୍ୟାରିୟର ଆରମ୍ଭରୁ କଳଙ୍କିତ ଦାଗ ଲଗାଇ ବୁଲିଥିବା ଧିମାନଙ୍କ କଳଙ୍କ କ’ଣ ସଂପୃକ୍ତ ବରିଷ୍ଠ ଆଇଏଏସ ଅଫିସର ଛଡ଼ାଇ ପାରିବେ ?