ବଙ୍ଗୋପସାଗରରେ ୨ ଘୂର୍ଣ୍ଣିବଳୟ: ରଜ ଯାଏଁ କାଳବୈଶାଖୀ


 ଭୁବନେଶ୍ୱର:ବଙ୍ଗୋପସାଗରରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି  । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ତତସଂଲଗ୍ନ ଉତ୍ତର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଦକ୍ଷିଣ ପୂର୍ବ ଏବଂ ତତସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଗକୁ ବଢୁଥିବା ଲକ୍ଷ୍ୟ କରାଯାଇଛି  । ମୌସୁମୀ କିନ୍ତୁ ସେହି ଭବାନୀପାଟଣା ଓ ପୁରୀରେ ଅଟକି ରହିଛି  । ତେବେ କାଳବୈଶାଖୀ ପ୍ରଭାବରେ ଆସନ୍ତା ୧୫ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ଝଡ଼ପବନ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ।
ଆସନ୍ତାକାଲି ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି  । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ବୌଦ୍ଧ, ରାୟଗଡ଼ା, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ଖୋର୍ଦ୍ଧାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି  ସହ ଝଟକା ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି  ହେବାର ସମ୍ଭାବନା ରହିଛି  । ଏହାଛଡ଼ା ମୟୂରଭଞ୍ଜ, ଗଜପତି, କନ୍ଧମାଳ ଓ ଗଞ୍ଜାମର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଆଇଏମଡ଼ି ପୂର୍ବାନୁମାନ କରିଛି  ।