ଡାକ୍ତର ଅଭାବ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥିବା ସମସ୍ତ ଉପଖଣ୍ଡ ଡାକ୍ତରଖାନା ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି । ଫଳରେ ସମସ୍ତ ରୋଗୀଙ୍କୁ ବାହାରକୁ ରେଫର କରିବାକୁ ପଡୁଛି । ଗରିବ ରୋଗୀମାନେ ବାହାରକୁ ରେଫର ହୋଇ ଅଯଥାରେ ଖର୍ଚ୍ଚାନ୍ତ ହୋଇ ସର୍ବସ୍ରାନ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କୁ ଭେଟି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ତାଳଚେର ଉପଖଣ୍ଡ ସରକାରୀ ଡାକ୍ତରଖାନା ଉପରେ ଲକ୍ଷାଧିକ ଲୋକ ନିର୍ଭର କରୁଥିବା ବେଳେ ମାତ୍ର ୭ ଜଣ ଡାକ୍ତର ଅଛନ୍ତି । ଦୈନିକ ୩୫୦ ରୋଗୀ ଆସୁଥିବାବେଳେ ଆବଶ୍ୟକ ଅନୁଯାୟୀ ୫୦ ଡାକ୍ତର ପଦବୀ ଥିବାବେଳେ ମାତ୍ର ୭ ଜଣ ଡାକ୍ତର କିଭଳି ରୋଗୀ ଦେଖିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ଗୋଟିଏ ଦୁଇଟି ବିଭାଗ ବ୍ୟତୀତ କୌଣସି ବିଭାଗରେ ସ୍ପେଶାଲିଷ୍ଟ ଡାକ୍ତର ନାହାନ୍ତି । ଯାହାଫଳରେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଅବସ୍ଥା ଜିଲ୍ଲାର ପ୍ରାୟ ସମସ୍ତ ଡାକ୍ତରଖାନାରେ ଦେଖିବାକୁ ମିଳୁଛି । ତେଣୁ ଏଥିପ୍ରତି ସ୍ୱାସ୍ଥ୍ୟମନ୍ତ୍ରୀ ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦେବାକୁ ଦାବି କରାଯାଇଛି ।